ମାଲକାନଗିରି,ତା:୨୮/୦୯(ପିପିଟି); ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତ ନିକଟସ୍ଥ ଏଭି -୪୪ ଗ୍ରାମର ଚାଷୀମାନଙ୍କ ମୁଣ୍ଡରେ ଏବେ ଚଡକ । ଗର୍ଭରୁ ଧାନ କେଣ୍ଡା ବାହିରିବା ସମୟରେ ସବୁ ଧାନ କେଣ୍ଡା ଅଗାଡି । କୌଣସି କେଣ୍ଡାରେ ଧାନ ନାହିଁ । ସମସ୍ତ ଚାଷୀ ମୁଣ୍ଡରେ ହାତ ମାରି କୋହ ଭପା କଣ୍ଠରେ ବର୍ତ୍ତମାନ ସାହାଯ୍ଯ ଲାଗି ସରକାରଙ୍କୁ ହାତ ଯୋଡି ଗୁହାରୀ କରିଛନ୍ତ ।ନଚେତ ଧାର କରଜ କରି ଚାଷ ଲାଗି ବିନିଯୋଗ କରିଥିବା ପୁଞ୍ଜି ଫେରସ୍ତ ନ ପାଇଲେ ଚାଷୀ କରିବ କଣ ? ଚାଲାଣଗୁଡା ପଞ୍ଚାୟତ ନିକଟସ୍ଥ ଏମଭି-୪୪ ଗ୍ରାମରେ ଜନସଂଖ୍ଯା ୫୦୦ ରହିଥିବା ବେଳେ ୨୦୦ ଏକର ଜମିରେ ଚଳିତ ଖରିଫ ଋତୁରେ ପ୍ରାୟ ୫୦ ପରିବା ଧାନ ଚାଷ କରିଛନ୍ତି । ସରକାରୀ ସ୍ବୀକୃତି ପ୍ରାପ୍ତ କଳାହାଣ୍ଡିର ଅମୂଲ୍ଯ ସିଡସ୍ ଧାନ ବିହନ ମାଲକାନଗିରି ବଜାରରୁ ୨୦ କିଗ୍ରା ପରିମାଣର ପ୍ଯାକେଟ କ୍ରୟକରି (ଚନ୍ଦ୍ରା,ତାରିଙ୍ଗିଣୀ ଓ ନବୀନ) ୧୦୫ ଦିନିଆ କିସମର ଧାନ ଜମିରେ ଚାଷୀମାନେ ନିଜ ନିଜ ବିଲରେ ବୁଣାବୁଣି କରିଥିବା ବେଳେ ବର୍ତ୍ତମାନ ଧାନ କେଣ୍ଡା ବାହାରିଥିବା ସମୟ ଉପନିତ । ବର୍ତ୍ତମାନ ଯେଉଁ ସବୁ ଧାନ କେଣ୍ଡାଗୁଡିକ ଜମିରେ ବାହାରୁଛି ଧାନ କେଣ୍ଡାଗୁଡିକର ମୂଳ ପଚି ଯାଉଥିବା ବେଳେ କେଣ୍ଡାରେ ଧାନ ବଦଳରେ ଶୁଖିଲା ଅଗାଡି ଦେଖା ଯାଉଛି । ପ୍ରାୟ ୨୦୦ ଏକର ଜମିରେ ଏ ଭଳି ଅବସ୍ଥା ଯୋଗୁଁ ଚାଷୀ ମୁଣ୍ଡରେ ତଡକ ପଡିଛି । ଋଣ ଗ୍ରସ୍ଥ ଚାଷୀ ବର୍ତ୍ତମାନ ସଂକଚ ପରିସ୍ଥିତି ଦେଇ ଗତି କରୁଛି । ଆଗାମୀ ଦିନରେ ଖାଇବ କଣ, ପରିବାର ପ୍ରତି ପୋଷଣ କରିବ କିପରି ଚିନ୍ତା ବିବ୍ରତ ହୋଇପଡିଛନ୍ତି ।ଚାଲାଣଗୁଡା ସରଞ୍ଚ ପୁଷ୍ପାରାଣୀ ପଡିଆମୀ,କଂଗ୍ରେସ ନେତା ଇର୍ମା ପଡିଆମୀ ତୁରନ୍ତ ମାଲକାନଗିରି ଜିଲ୍ଲାପାଳ ତଥା ରାଜ୍ଯ ସରକାର ଚାଷୀମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଦୃଢ ଦାବୀ କରିଛନ୍ତି । ଏହା ବ୍ଯତୀତ ଏମଭି-୧ ଏମଭି-୯୧ ଗ୍ରାମରେ ମଧ୍ଯ ଚାଷୀମାନଙ୍କ ଜମିରେ ଧାନ କେଣ୍ଡାଗୁଡିକ ଅଗାଡି ହୋଇ ଶୁଖି ଫମ୍ପା ହୋଇ ପଡିଛି । ତୁରନ୍ତ ମାଲକାନଗିରି କୃଷି ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ରାଜ୍ଯ ସରକାରଣଙ୍କୁ ଅବଗତ କରାଇବାକୁ ସମସ୍ତ ଚାଷୀ ଅନୁରୋଧ କରିଛନ୍ତି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)