ପୋଲସରା,୧୭/୦୩(ପିପିଟି): ପୋଲସରା ପୋଲିସ ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମ୍ପର୍କରେ ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ପୋଲସରା ପୋଲିସ ଆଜି କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ରାଜୁ ପାତ୍ର ଏବଂ ଗୋବିନ୍ଦପୁର ଗ୍ରାମର ଶ୍ରୀକାନ୍ତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ତିନୋଟି ସୁନା ମୁଦି,ବାର ଗୋଟି ରୁପା ପାଉଁଜି , ଦୁଇଟି ସୁନା ର କାନ ବଳା ଏବଂ ଚାରିଗୋଟି ମୋବାଇଲ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଫେବୃଆରୀ ମାସ ୯ ତାରିଖ ଦିନ ପୋଲସରା ଲକ୍ଷ୍ମୀ ନାରାୟଣ ସାହି ନିବାସୀ ଜୟସିନ୍ଧୁ ପଟ୍ଟନାୟକ ଏବଂ ମଧୁସୂଦନ ପୁର କଳକ ଦୁର୍ଗା ଵିଦ୍ୟାପୀଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ପୃଥକ ପୃଥକ ଭାବେ ଦୁଇଟି ଏତଲା ପୋଲସରା ଥାନା ରେ ଦେଇଥିଲେ। ଜୟସିନ୍ଧୁ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ସେ ଗ୍ରାମ ରେ ନଥିବା ବେଳେ କେହି ତାଙ୍କ ର କବାଟ ଭାଙ୍ଗି ନଗଦ ୮ ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ଚୋରି କରି ନେଇଯାଇଛି। ସେହିପରି ପ୍ରକାଶ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ସେ ସ୍ୱାସ୍ଥ୍ୟ ଗତ କାରଣ ଯୋଗୁଁ ଭୂବନେଶ୍ୱର ଯାଇଥିଲେ। ଭୂବନେଶ୍ୱରରୁ ଫେରି ଦେଖିଲେ ଯେ ତାଙ୍କ ଘର ର ତାଲା ଓ ଆଲମାରୀ ଚାବି ଭାଙ୍ଗି କେହି ନଗଦ ୫୦ ହଜାର ଟଙ୍କା , ପାଞ୍ଚ ତୋଳା ଓଜନର ସୁନା ଗହଣା ଓ ଆବଶ୍ୟକୀୟ କାଗଜପତ୍ର ନେଇ ଯାଇଛି। ଏତଲା ପାଇବା ପରେ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା। ଆଜି ଉପରୋକ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅପରାଧୀ ଦୁଇଜଣ କବିସୂର୍ଯ୍ୟ ନଗର ଅଞ୍ଚଳ ରେ ଘଟିଥିବା ଦୁଇଟି ଚୋରା ଘଟଣା ରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ଗତ କିଛି ଦିନ ହେଲା ପୋଲସରା ନିକଟସ୍ଥ କୋଙ୍କରଡା ଗ୍ରାମରେ ରହୁଥିଲେ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)
Next Post