ମାଲକାନଗିରି,ତା:୧୫/୦୫(ପିପିଟି); ଦୀର୍ଘ ଦିନର ଦାବି ପରେ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ପାଠାଗାର ଖୋଲିଲା ନୂତନ ସ୍ଥାନରେ । ପୂର୍ବରୁ ଜିଲ୍ଲା ପାଠାଗାରଟି ଡିଏନକେ ସ୍ଥିତ ସର୍କିଟ ହାଉସର ପରିସରରେ ଆତ୍ମ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଥିଲା । ଆନ୍ଯାନ୍ଯ ସରକାରୀ କାର୍ଯ୍ଯାଳୟ ଦୈନନ୍ଦିନ ଖୋଲୁଥିଲେ ମଧ୍ଯ ଜିଲ୍ଲା ପାଠାଗାରଟି କରୋନା ସଂକ୍ରମଣର ଆଳ ଦେଖାଇ ପ୍ରାୟ ବର୍ଷେ ପାଞ୍ଚ ମାସ ବନ୍ଦ ରହିଥିଲା । ପାଠକମାନେ ପ୍ରତି ଦିନ ଆସି ଫେରି ଯାଉଥିବା ବେଳେ ପାଠାଗାରଟି ଖୋଲିବା ପାଇଁ ବାରମ୍ବାର ଗଣ ମାଧ୍ଯମରେ ପ୍ରକାଶ ପାଇବା ସହ କିଛି ପାଠକ ବର୍ଗ ସ୍ଥାନୀୟ ଜିଲ୍ଲାପାଳ ୱାଇ ବିଜୟଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ମାଲକାନଗିରି ଜିଲାପାଳ ୱାଇ ବିଜୟ ଦାବି ପତ୍ରର ଗୁରୁତ୍ବକୁ ଉପଲବ୍ଧି କରି ଗତ କାଲି ସଂସ୍କୃତି ଭବନ ନିକଟରେ ଖାଲି ପଡିଥିବା ଆଦର୍ଶ ଡିଗ୍ରୀ କଲେଜ ଗୃହରେ ଜିଲ୍ଲା ପାଠାଗାରକୁ ଉନ୍ମୋଚନ କରିଛନ୍ତି । ବର୍ତ୍ତମାନ ଜିଲ୍ଲାପାଠାଗାରଟି ଡିଏନକେ ରୁ ସଂସ୍କୃତି ଭବନ ନିକଟକୁ ସ୍ଥାନାନ୍ତରିତ ହୋଇଯାଇଛି । ଯାହାକି ଏକ ଜନଶୂନ୍ଯ ଅଞ୍ଚଳ ଭାବେ ଜଣାଶୁଣା । ତେବେ ଜନବସତି ଠାରୁ ଦୂରରେଥିବାରୁ ଯେଉଁମାନଙ୍କର ଯାନବାହାନ ଥିବ ସେହି ପାଠାଗାରକୁ ଯାଇ ପାରିବ ,ନଚେତ କୌଣସି ଲୋକ ଚାଲି ଚାଲି ସେଠାରେ ପହଞ୍ଚିବା କଷ୍ଟ ସାଧ୍ଯ ଏବଂ ସମୟ ସାପେକ୍ଷ ଅଟେ । ପ୍ରକାଶ ଥାଉକି ଜିଲ୍ଲା ପାଠାଗାରଟି ପୂର୍ବରୁ ଜନବସତି ଭିତରେ ଅର୍ଥାତ ଡିଏନକେର ସର୍କିଟ ହାଉସ ଠାରେ ଥିଲା ବେଳେ ୧୦ ଜଣ ପାଠକ ଦୈନିକ ପଢିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ପାଠାଗାରଟି ଜନବସତି ଠାରୁ ଦୂରକୁ ଘୂଞ୍ଚିଯାଇଥିବାରୁ କେତେ ଜଣ ପାଠକ ସେଠାକୁ ଯାଇ ପଢିବେ ଦେଖିବାକୁ ବାକି ରହିଲା । ଜିଲ୍ଲା ପାଠାଗାରରେ ବର୍ତ୍ତମାନ ଓଡିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ପୁସ୍ତକ ରହିଥିବା ବେଳେ ୧୯୯୨ ମସିହାରୁ ଅର୍ଥାତ ଜିଲ୍ଲା ଗଠନ ହେବା ଠାରୁ ଜଣେ କେହି ଲାଇବ୍ରେରିଆନ ନାହିଁ । ଫଳରେ ଜଣେ ପାଠକ କୌଣସି ବହି ଘରକୁ ନେଇ ପଢିବାକୁ ଚାହିଁଲେ, ଯେହେତୁ ରେକର୍ଡ ମେଣ୍ଟେନାନ୍ସ କରିବାକୁ କେହି ଲାଇବ୍ରେରିଆନ ନଥିବାରୁ ତାହା ସମ୍ଭବପର ହେଉ ନଥିଲା । ବର୍ତ୍ତମାନ ଯଦି ସେହି ସମସ୍ଯା ଲାଗି ରହିବ ତେବେ ହଜାର ହଜାର ଗଛିତ ପୁସ୍ତକର ସଦ ବିନିଯୋଗ ହୋଇ ପାରିବ ନାହିଁ । ଏଥି ପ୍ରତି ଜିଲ୍ଲାପାଳ ଧ୍ଯାନ ଦେବା ଆବଶ୍ଯକ । ବର୍ତ୍ତମାନ ଜିଲ୍ଲା ପାଠାଗାରଟି ଦୈନିକ ସକାଳ ୯ଟା ଠାରୁ ୧୧ଟା ଏବଂ ସଂଧ୍ଯା ୫ଟା ଠାରୁ ୯ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ଯାଳୟରୁ ପ୍ରକାଶ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post