ବୋଲଗଡ଼,୨୩/୦୭(ପିପିଟି):ବୋଲଗଡ଼ ବ୍ଲକ ଠାରୁ ମାତ୍ର ୨୦୦ ମିଟରରେ ବୋଲଗଡ ହରିଜନ ସାହି ଅବସ୍ଥିତ । ହରିଜନ ସାହିର ନିତି ଦିନିଆ ଗ୍ରାମ୍ୟ ପଞ୍ଚାୟତ ମୁଖ୍ୟ ରାସ୍ତାରେ ପାଣି ଜମିରହି ଥିବାରୁ ସାହି ବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଅଛନ୍ତି।ଅନ୍ୟପଟେ ମୁଖ୍ୟ ରାସ୍ତାରେ ଜମି ଥିବା ପାଣି ପରିବେଶ ପଚା ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଅଛି। ଖୋର୍ଦ୍ଧା – ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହରିଜନ ସାହି ଭିତରକୁ ଲମ୍ବି ଯାଇଛି ଏହି ରାସ୍ତା।ଏହି ସାହି ସଂଲଗ୍ନ ରାସ୍ତାରେ ପ୍ରତିଦିନ ଯାତାୟତ କରିଥାନ୍ତି ହରିଜନ ବସ୍ତିର ବାସିନ୍ଦାମାନେ ବୋଲଗଡ଼ ପଂଚାୟତର ୧୨ନଂ ୱାର୍ଡ ୬୫ ପରିବାର ଓ ୩୦୦ରୁ ଉର୍ଦ୍ଧ ଲୋକେ ଏହି ସାହିରେ ବାସ କରନ୍ତି।ହରିଜନ ସାହିର ଲୋକ ମାନଙ୍କ ସମେତ ଗ୍ରାମର ୪ ଗୋଟି ସାହିର ଲୋକମାନେ ପ୍ରତିଦିନ ଏହି ରାସ୍ତାରେ ଯାତାୟତ କରୁଅଛନ୍ତି।ମାତ୍ର ରାସ୍ତାର ଜଳ ନିସ୍କାସନ ନିମନ୍ତ ଡ୍ରେନେଜର କୌଣସି ସୁବିଧା କରାଯାଇ ନଥିବାରୁ ବର୍ଷା ପାଣି ଏହି ରାସ୍ତାରେ ଜମିରହି କ୍ରମେ ପଚା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି।ତେଣୁ ଏହି ଦୂଷିତ ପରିବେଶ ମଶା , ମାଛି, କୀଟ ଓ ପତଙ୍ଗ ବଂଶ ବୃଦ୍ଧିକୁ ବେଶ ଖୋରାକ ଯୋଗାଉଛି। ଫଳରେ ଡେଙ୍ଗୁରୋଗ ବ୍ୟାପିବାର ସମ୍ଭାବନାକୁ ଏଡାଇ ହେବ ନାହିଁ।ଡେଙ୍ଗୁରୋଗ ଆଶଙ୍କାରେ ହରିଜନ ବସ୍ତିର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା କଥା ସ୍ଥାନୀୟ ବାସିନ୍ଦା କହିଅଛନ୍ତି।ଏ ସମ୍ପର୍କରେ ହରିଜନ ସାହି ବାସିନ୍ଦା ମାନେ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଅଛନ୍ତି।ଏଥିପ୍ରତି ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦୃଢ ଦାବି କରିଅଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)