ଦିପାବଳୀରେ ପୁରାତନ ଛାତ୍ର ସଙ୍ଗଠନର ନିଆରା ପ୍ରୟାସ ; ବାଣ ନ ଫୁଟାଇ ହସ ଫୁଟାଇଲେ ଲୋକଙ୍କ ମୁହଁରେ ।

0 354

ବେଲଗୁଣ୍ଠା,୧୪/୧୧(ପିପିଟି);ଆବଶ୍ୟକ ଥିଲେ ନିଅନ୍ତୁ, ବଳକା ଥିଲେ ଦିଅନ୍ତୁ ବାର୍ତ୍ତାକୁ ନେଇ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ମୋ ସ୍କୁଲ୍ ଆନୁକୂଲ୍ୟରେ ଏକ ଷ୍ଟ୍ରିଟ୍ ଷ୍ଟୋର୍ ର ଶୁଭାରମ୍ଭ ହୋଇଯାଇଛି I ବର୍ତ୍ତମାନ ମଧ୍ଯ ସମାଜରେ ବହୁ ଅବହେଳିତ ଲୋକ ନିଜ ଶରୀରକୁ ଘୋଡ଼ାଇ ରଖିବାକୁ ପୋଷାକ ଖଣ୍ଡିଏ କିଣିବାକୁ ଅସମର୍ଥ । ଏବେ ନଭେମ୍ୱର ମାସ ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ସେହି ଲୋକମାନଙ୍କର ଅସହାୟତାକୁ ଦୃଷ୍ଟିରେ ରଖି ଗତ ବିଜୟା ଦଶମୀରେ ଗାଙ୍ଗପୁରଠାରେ ଏକ ଷ୍ଟ୍ରିଟ୍ ଷ୍ଟୋର୍ ଆରମ୍ଭ କରିବାକୁ ପୁରାତନ ଛାତ୍ର ସଂଘ ମୋ ସ୍କୁଲ୍ ତରଫରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରସ୍ତାବ ଅନୁଯାୟୀ ଆଗ୍ରହୀ ଜନ ସାଧାରଣଙ୍କ ଠାରୁ ସେମାନଙ୍କର ବଳକା ବସ୍ତ୍ର, ଶୀତ ଲୁଗା, ଶିଶୁ ପୋଷାକ, ଚଦର ଆଦି ସଂଗ୍ରହ କରି ଆବଶ୍ୟକ କରୁ୍ଥିବା ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ଥିର କରାଯାଇଥିଲା । ଏହିଭଳି ଏକ ଜନ କଲ୍ୟାଣକାରୀ ପ୍ରସ୍ତାବକୁ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ସମେତ ଅଞ୍ଚଳର ବହୁ ସ୍ଵେଚ୍ଛାସେବୀ ସଙ୍ଗଠନ, ବୁଦ୍ଧିଜୀବୀ, ମହିଳା ମଞ୍ଚ, ଅଟୋ ଚାଳକ ସଂଘ ଏବଂ ଜନ ସାଧାରଣ ଭରପୁର ସମର୍ଥନ ଜଣାଇବା ସହ ସହଯୋଗର ହାତ ବଢାଇଥିଲେ । ଆଜି ପବିତ୍ର ଦୀପାବଳୀ ଏବଂ ଶିଶୁ ଦିବସ ଅବସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଆବାହନରେ ପୁରାତନ ଛାତ୍ର ସମୀର କୁମାର ସ୍ଵାଇଁ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ୫୦୦ ରୁ ଊର୍ଦ୍ଧ୍ୱ ଲୋକ ଷ୍ଟ୍ରିଟ୍ ଷ୍ଟୋର୍ ରୁ ସେମାନଙ୍କ ଆବଶ୍ୟକୀୟ ପ୍ୟାଣ୍ଟ, ସାର୍ଟ, ସ୍ତ୍ରୀ ଲୁଗା, ଶିଶୁ ପୋଷାକ, ଶୀତ ବସ୍ତ୍ର ସ୍ନେହର ସହିତ ଗ୍ରହଣ କରି ଖୁସି ପ୍ରକଟ କରିଥିଲା ବେଳେ ଶତାଧିକ ଲୋକ ନିଜର ବଳକା ବସ୍ତ୍ରକୁ ଷ୍ଟ୍ରିଟ୍ ଷ୍ଟୋର୍ କୁ ପ୍ରଦାନ କରିଥିଲେ । ବିଶେଷ କରି କାର୍ଯ୍ୟକ୍ରମରେ ଶିଶୁ ଏବଂ ମହିଳାମାନେ ଅଧିକ ଉତ୍ସାହର ସହିତ ନିଜ ନିଜର ବସ୍ତ୍ର ଗ୍ରହଣ କରୁଥିବାର ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୋ ସ୍କୁଲ୍ ଉପଦେଷ୍ଟା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଅଞ୍ଚଳର ଯୁବ ସ୍ଵେଚ୍ଛାସେବୀ ଗୁରୁଦେବ ବିଷୋୟୀ, ପ୍ରସନ୍ନ କୁମାର ଜେନା, ଅଶୋକ ଗୌଡ଼, ସତ୍ୟ ନାରାୟଣ ନାୟକଙ୍କ ସମେତ ପୁରାତନ ଛାତ୍ର ରାଜ କିଶୋର ଭୂୟାଁ,ଜଗନ୍ନାଥ ବିଷୋୟୀ, ରବିନ୍ଦ୍ର ବିଷୋୟୀ, ରାଜା ସ୍ଵାଇଁ, ସମୀର୍ ବିଷୋୟୀ, ଗୋପାଳ ଗୌଡ଼,ଦୀପକ୍ ଗୌଡ, ସୁନୀଲ ସାହୁ ,ଶଶାଙ୍କ ଶେଖର ସ୍ୱାଇଁ, ପ୍ରଭାତ ସ୍ୱାଇଁ, ମନୋଜ ସାହୁ, ରୋଶନ୍ ପୃଷ୍ଟି, ଅନୀଲ ପୋଲାଇ , ନୀଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପୂର୍ବତନ ସି.ଆର୍.ସି.ସି ବାଳକୃଷ୍ଣ ସାବତ, ରେସ୍ପଣ୍ଡ୍ ଟ୍ରଷ୍ଟ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟ, ଏଭର ଗ୍ରୀନ୍ ଫ୍ରେଣ୍ଡସ୍ ସମ୍ପାଦକ ଚିନ୍ମୟ ପୋଲାଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୋଜକ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ, ଶ୍ରୀନିବାସ ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।ଏହିଭଳି ଏକ କାର୍ଯ୍ୟକ୍ରମକୁ ଅଞ୍ଚଳର ଜନ ସାଧାରଣ, ବୁଦ୍ଧିଜୀବୀ ଏବଂ ଜନ ପ୍ରତିନିଧି ଭୂୟସୀ ପ୍ରଶଂସା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.