ଦାଦନ ଦୁଃଖ: ଶ୍ରମିକ ହୋଇ ଯାଇଥିଲା,ଶବ ହୋଇ ଫେରିଲା ।

0 418

ମାଲକାନଗିରି,୨୧/୦୫(ପିପିଟି); ମାଲକାନଗିରିରେ ଗରିବ ଲୋକମାନଙ୍କ ପେଟ ପୋଷିବାକୁ କାମର ଘୋର ଅଭାବ । ଏଣୁ ଅଧିକାଂଶ ସମୟରେ ଦାଦନ ଖଟିବା ପାଇଁ ମାଲକାନଗିରି ଜିଲ୍ଲାରୁ ଶହ ଶହ ଶ୍ରମଜୀବୀ ଆନ୍ଧ ପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ନିର୍ଭରଶୀଳ ।ଏମିତି ଦୁଇ ଜଣ ସ୍ବାମୀ ସ୍ତ୍ରୀ ତେଲେଙ୍ଗାନା ରାଜ୍ଯକୁ ଦାଦନ ଖଟିବାକୁ ଯାଇଥିଲେ ।ତେବେ ସ୍ତ୍ରୀ ଯମୁନା ଆଜି ଶବ ହୋଇ ଗାଁକୁ ଫେରିଛି । ଘଟଣା ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଲକ୍ଷ୍ମଣ ଖିଲ ଏବଂ ତାଙ୍କ ସ୍ତ୍ରୀ ଯମୁନା ଖରା(୨୫) ଦୁହେଁ ତେଲେଙ୍ଗାନା ରାଜ୍ୟର ନିଜମାବାଦକୁ କିଛି ଦିନ ତଳେ ଦାଦନ ଖଟିବା ନିମନ୍ତେ ଯାଇଥିଲେ। କୌଣସି କାରଣରୁ ଦୁଇ ଦିନ ତଳେ ଯମୁନା ନିଜ ଦେହରେ ଡିଜେଲ ଢାଳିବା ସହ ଅଗ୍ନି ସଂଯୋଗ କରି ଆତ୍ମହତ୍ୟା କରିଥିଲେ। ଯମୁନା ଡିଜେଲ ଢାଳିବା ଦେଖି ନିକଟରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ସେ ଦେହରେ ନିଆଁ ଲଗେଇ ହୋଇ ଅସହ୍ୟ ଯନ୍ତ୍ରଣାରୁ ଉପସମ ପାଇବା ଲାଗିବ ନିକଟସ୍ଥ ଏକ କୂଅକୁ ଡେଇଁ ପଡିଥିଲେ। ପରେ କ୍ରେନ ସହାୟତାରେ ଯମୁନାଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ସ୍ଥାନୀୟ ଠିକାଦାରଙ୍କ ସହଯୋଗରେ ମୁର୍ମୂଷୁ ଅବସ୍ଥାରେ ଯମୁନାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଯମୁନାଙ୍କୁୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ମହିଳା ଜଣକ ଡିଜେଲ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଠିକାଦାର କହିବା ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଟଙ୍କାକୁ ନେଇ ଝଗଡା ହେବା ଯୋଗୁଁ ଏଭଳି ଅପ୍ରୀତିକର କାଣ୍ଡ ଉପୁଜିଥିବା କୁହାଯାଇଛି । ଆଜି ଯମୁନାଙ୍କ ଶବକୁ ତେଲେଙ୍ଗାନାରୁ ନିଜ ଗ୍ରାମ କେନ୍ଦୁଗୁଡାକୁ ଅଣା ଯାଇ ଶବ ଦାହ କରାଯାଇଥିବା ଜଣା ପଡିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.