ମାଲକାନଗିରି,୨୫/୧୦(ପିପିଟି):ଦଣ୍ଡକାରଣ୍ଯ ପର୍ବତମାଳା ବିକାଶ ପରିଷଦ ଦ୍ବାରା ମାଲକାନଗିରି ସଦର ମହକୁମାସ୍ଥିତ ସଂସ୍କୃତି ଭବନ ଠାରେ ଦଣ୍ଡକାରଣ୍ଯକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ଏକ ସଭା ଆୟୋଜିତ ହୋଇଥିଲା ।ପୁରାଣ ପ୍ରସିଦ୍ଧ ଏହି ଦଣ୍ଡକାରଣ୍ଯକୁ ପ୍ରଭୁରାମ ଚନ୍ଦ୍ର ବନବାସ କରିବା ପାଇଁ ଆସିଥିଲେ ,ଯାହାର ବର୍ଣ୍ଣନ ରାମାୟଣର ଅରଣ୍ଯକାଣ୍ଡରେ ଉଲ୍ଲଖ ରହିଛି । ମାଳ ମାଳ ପର୍ବତ ମାଳା,ନିଘଞ୍ଚ ସବୁଜ ବନାନୀ ଏବଂ ଝରଣାର କଳ ନିନାଦରେ ବନ ଭୂମି ମୁଖରିତ । ଏହି ଦୁର୍ଗମ ନଦ ନଦୀ ପୂର୍ଣ୍ଣ ପାହାଡୀ ଅଞ୍ଚଳରେ ଗିରିଜନମାନଙ୍କ ନିବାସ ସ୍ଥଳି । ଏହି ଦଣ୍ଡକାରଣ୍ଯକୁ ଲାଗି ଓଡିଶା,ଆନ୍ଧ୍ର,ତେଲେଙ୍ଗାନା ଏବଂ ଛତିଶଗଡ ରାଜ୍ଯର କିଛି ଜିଲ୍ଲା ଅନ୍ତର୍ଭୁକ୍ତ । ଏହି ଅଞ୍ଚଳଟି ୯୨ ହଜାର ୨୦୦ ବର୍ଗ କିଲୋମିଟର ବା ୩୫ ହଜାର ୬୦୦ ବର୍ଗ ମାଇଲ. ପର୍ଯ୍ଯନ୍ତ ପରିବ୍ଯପ୍ତ । ଏହାର ସୀମାରେଖା ଉତ୍ତରରୁ ଦକ୍ଷିଣ ୩୦୦ କିମି ଏବଂ ପୂର୍ବରୁ ପଶ୍ଚିମ ୫୦୦ କିମି ଅଟେ ।ଏହି ଦଣ୍ଡକାରଣ୍ଯରେ ବିଶେଷ କରି ଜନଜାତିର ଲୋକମାନଙ୍କ ନିବାସ ସ୍ଥଳୀ ।ଆଦିବାସିମାନେ ପାହାଡରେ ବସବାସ କରିବା ସହ ପୋଡୁ ଚାଷକୁ ମୁଖ୍ଯ ଜୀବୀକା ଭାବେ କେଉଁ ଅନାଦିକାଳରୁ ପାଥେୟ କରି ଆସିଛନ୍ତି ।ପର୍ବ ପର୍ବାଣି ସମୟରେ ବଣ୍ଯ ଜନ୍ତୁ ଶିକାର କରିବା ପ୍ରଥା ପରମ୍ପରାରେ ରହି ଆସିଛି !ଜଙ୍ଗଲ ଜାତ ଦ୍ରବ୍ଯ ବିକ୍ରୟ କରି ଆଦିବାସୀମାନେ ଅର୍ଥ ଉପାର୍ଜ୍ଜନର ଅନ୍ଯ ଏକ ମାଧ୍ଯ କହିଲେ ଚଳେ । ବର୍ତ୍ତମାନ ଦଣ୍ଡକାରଣ୍ଯର ଭୌଗଳକ ସ୍ଥିତିକୁ ଅନୁଧ୍ଯାନ କଲେ ଜଣା ଯାଏ ଯେ ଓଡିଶାର ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ରାୟଗଡା,କଳାହାଣ୍ଡି,ଛତିଶଗଡ ରାଜ୍ଯରସୁକୁମା,ଦନ୍ତେୱାଡା,ବିଜାପୁର,ବସ୍ତର, କୋଣ୍ଡାଗାଓଁ ତେଲେଙ୍ଗାନା ରାଜ୍ଯର ଖାମ୍ମାମ,ଆଦିଲାବାଦ, ୱାରେଙ୍ଗଲ, ନାଲାଗୁଣ୍ଠ ଆଜି ଜିଲ୍ଲା ରହିଥିବା ବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାମ, ଶ୍ରୀକାକୁଲମ,ବିଜୟୱାଡା,ପୂର୍ବ ଗୋଦାବରୀ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲାଗୁଡିକ ଅନ୍ତର୍ଭୁକ୍ତ ଅଟେ । ଭାରତ ସ୍ବାଧୀନ ହେବାର ୭୪ବର୍ଷ ବିତିଯାଇଥିଲେ ମଧ୍ଯ ଦଣ୍ଡକାରଣ୍ଯ ଅଞ୍ଚଳଟି ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟି ନାହିଁ । ବିଶେଷ କରି ଯୁବ ପିଢିବ୍ଯକ୍ତିମାନେ ଦାଦନ ଖଟିବା ପାଇଁ ବିଭିନ୍ନ ସହରକୁ ଗମନ କରନ୍ତି । ଏଠାରେ ଦାରିଦ୍ରତା ସଂଖ୍ଯା ୯୦ ପ୍ରତିଶତରୁ ଊର୍ଦ୍ଧ୍ବ କହିଲେ ଚଳେ । ଉତ୍ତମ ସ୍ବାସ୍ଥ୍ଯ. ସେବା ଅଭାବରୁ ଅକାଳରେ ଶହ ଶହ ଲୋକ ପୋକ ମାଛି ପରି ମୃତ୍ୟୁ ବରଣ କରନ୍ତି । ଅପପୁଷ୍ଟିର ଶିକାର ହୋଇ ପ୍ରତି ବର୍ଷ ବହୁ ଶିଶୁ ମୃତ୍ୟକୁ ଆଲିଙ୍ଗନ କରନ୍ତି । ଏବେ ମଧ୍ଯ ବିଭିନ୍ନ ଆଦିବାସୀ ଗ୍ରାମକୁ ଗମନା ଗମନର ସୁବିଧା ନାହିଁ । ବହୁ ନଦୀରେ ପୋଲ ନିର୍ମିତ ହୋଇ ପାରିନଥିବା ଯୋଗୁଁ ବର୍ଷା ଋତୁରେ ଗମନା ଗମନ ବାହ୍ଯ ଜଗତରୁ ବିଛିନ୍ନ ହୋଇ ପଡୁଛି !ସେହି ପରି ଶିକ୍ଷା ହାର ଏହି ଅଞ୍ଚଳରେ ୩୦ ପ୍ରତିଶତରୁ ଅଧିକ ହେବ ନାହିଁ । ଅତଏବ ଦଣ୍ଡକାରଣ୍ଯ ଅଞ୍ଚଳର ବିକାଶ ଲାଗି ସ୍ବତନ୍ତ୍ର କେନ୍ଦ୍ରାଞ୍ଚଳର ଆବଶ୍ଯକ ରହିଛି । ଫଳରେ ଏ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ । ତେଣୁ ଦଣ୍ତକାରଣ୍ଯ ଅଞ୍ଚଳକୁ ସ୍ବତନ୍ତ୍ର କେନ୍ଦ୍ରାଞ୍ଚଳ କରିବା ପାଇଁ ଦଣ୍ଡକାରଣ୍ଯ ପର୍ବତମାଳା ବିକାଶ ପରିଷଦ ଦାବି କରିଛି । ଏଥି ପାଇଁ ଜୟରାମ ପାଙ୍ଗୀଙ୍କ ନେତୃତ୍ବରେ ମାଲକାନଗିରି ସଂସ୍କୃତି ଭବନ ଠାରେ ଏକ ସଭାର ଆୟୋଜନ କରାଯାଇ ଜନ ସମର୍ଥନ ଲୋଡାଯାଇଥିଲା । ଏହି ସଭାରେ ଦଣ୍ଡକାରଣ୍ଯ ପର୍ବତ ମାଳା ବିକାଶ ପରିଷଦର ସଭାପତି
ଜୟରାମ ପାଙ୍ଗୀ,ସଂପାଦକ ଗଦାଧର ପରିଡା,ଛତିଶଗଡ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ନେତାମ୍,ଆରୁକ୍ ପୂର୍ବତନ ବିଧାୟକ ଗଙ୍ଗାଧର ସ୍ବାମୀ, ବିଶାଖାପାଟଣାମ୍ ଡିଏଲଓ ଏସ ମାନ୍ଯକମ, ଡଃ କାମରାଜ କୱାସୀ,ଜିଲ୍ଲା ବିଜେଡ. ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ ପ୍ରମୁଖ ନୂତନ କେନ୍ଦ୍ରାଞ୍ଚଳ ଗଠନ ହେଲେ ଏହି ଅନ୍ନୁତ ଦଣ୍ଡକାରଣ୍ଯ ଅଞ୍ଚଳର ଦ୍ରୁତ ଉନ୍ନତି ହେବ ବୋଲି ମତ ବ୍ଯକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ଉପ-ଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ରବିନ ବିଶ୍ବସ,ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ,ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ,ଘନଶ୍ଯାମ ମାଡକାମୀ,ଘେନୁ ମୁଦୁଲି,ହିରି ଗୋଲରୀ,ଲକ୍ଷ୍ମଣ ଘରାମୀ, ତପତି ବିଶ୍ବାସ,ଲଳିତ ନାରାୟଣ ମାଡକାମୀ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post
ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ ।
Next Post