ମାଲକାନଗିରି,୨୦/୦୬(ପିପିଟି): ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ହାତରେ ମାରଣାସ୍ତ୍ର ଧରି ଥାନା ପରିସରକୁ ଧସେଇ ପଶିବା ସହ ସେଠାରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଆଜି ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ଥାନା ପରିସରରେ । କଂଗ୍ରେସ ଦଳର ଆନ୍ଦୋଳନକାରୀମାନେ ଥାନା ପରିସରରେ ଥିବା ଗାଡ଼ିଗୁଡିକୁ ଭଙ୍ଗାରୁଜା କରିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ ବେଳେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଏପରିକି ସେଠାରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉ କି,ଗତ କିଛି ଦିନ ତଳେ ଗଞ୍ଜେଇ ବେପାରକୁ ନେଇ ପୋଲିସ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି କଲୋନୀ- ୧୩ ରେ ପଶି ଗ୍ରାମର ମହିଳାମାନଙ୍କୁ ମାରପିଟ୍ କରିଥିଲା । ଆଜି ପୋଲିସ ଜୁଲୁମ୍ ର ପ୍ରତିବାଦ ଏବଂ ଏସଡ଼ିପିଓଙ୍କୁ ବଦଳି ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଚିତ୍ରକୋଣ୍ଡା ବ୍ଲକ ସମ୍ମୁଖରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ଵରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ଏହି ସଭା ଶେଷ ହେବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ଶତାଧିକ ପୁରୁଷ ଓ ମହିଳା ଉତେଜିତ ହୋଇ ନିକଟରେ ଥିବା ଥାନା ପରିସରକୁ ଧଶେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ଚିତ୍ରକୋଣ୍ଡାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post