ମାଲକାନଗିରି,୨୩/୦୪(ପିପିଟି):
ମାଲକାନଗିରି ଜିଲ୍ଲା ମାଥିଲି ଥାନ ନିକଟସ୍ଥ ମାଓଗଡ଼ ଭାବେ ଜଣାଶୁଣା ତୁଳସୀ ପାହାଡ଼ ଠାରେ ନୂତନ ବିଏସଏଫ କ୍ୟାମ୍ପ ଆଜି ସ୍ଥାପନ କରାଯାଇଛି । ବିଗତ ଦିନରେ ଦୁର୍ଗମ ତୁଳସୀ ପାହାଡ ଉପରେ ମାଓବାଦୀଙ୍କ ଲାଲଝଣ୍ଡା ସଦା ସର୍ବଦା ଉଡୁଥିଲା ବେଳେ ଆଜି ସେଠାରେ ଜାତୀୟ ପତାକା ଉଡ଼ିଛି । ଆଜି ନିର୍ଭୟରେ ସ୍ଥାନୀୟ ଗ୍ରାମବାସୀମାନେ ଜାତୀୟ ପତାକା ତଳେ ଏକତ୍ରିତ ହୋଇ ବନ୍ଦେ ମାତରମ,ଭାରତ ମାତା କି ଜୟ ବୋଲି ଗର୍ବରେ ସ୍ଲୋଗାନ ଦେଇଥିଲେ । ତୁଳସୀ ପାହାଡରେ ମାଓବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର ସ୍ଥାପନ କରାଯାଇଛି। ନୂଆ ସିଓବି ପ୍ରତିଷ୍ଠା ଦ୍ୱାରା ମାଓପ୍ରବଣ ଦୁର୍ଗମ ତୁଲସୀ ଗାଁ ଓ ନିକଟସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ବାରାନ୍ବିତ ହେବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ହୋଇପାରିବ । ଏହା ଦ୍ୱାରା ସୁରକ୍ଷା ବାହିନୀର ମାଓ ଦମନ ଅଭିଯାନ ଆହୁରି ପ୍ରଭାବଶାଳୀ ହୋଇପାରିବ ବୋଲି ମାଲକାନଗିରି ଏସପି ନିତେଶ ୱାଧନୀ ପ୍ରକାଶ କରିଛନ୍ତି । ଆଜି ସକାଳେ ଓଡିଶା ପୋଲିସ ଏବଂ ସୀମା ସୁରକ୍ଷା ବାହିନୀ ଦୁର୍ଗମ ତୁଳସୀ ପାହାଡ଼ ଘାଟିକୁ ଚଢି ଚାଲି ଚାଲି ତୁଳସୀ ଗ୍ରାମନିକଟରେ ପହଞ୍ଚିବା ସହ ସେଠାରେ ଏକ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ଗ୍ରାମବାସୀଙ୍କୁ ନେଇ ଏକ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଏକଦା ତୁଳସୀ ପାହାଡ଼ରେ ଛତିଶଗଡ଼ ମାଓବାଦୀଙ୍କ ଆଡ୍ଡା ସ୍ଥଳିଥିଲା । ଏଠାରୁ ମାଓବାଦୀମାନେ ଯୋଜନା ପ୍ରସ୍ତୁତ କରି ବିଭିନ୍ମ ହିଂସା କାଣ୍ଡ ଘଟାଇବା ସହ ଆତ୍ମଗୋପନର ସୁରକ୍ଷିତ ସ୍ଥାନ ଭାବରେ ଚୟନ କରିଥିଲେ । ମାଓବାଦୀଙ୍କ ଦୌରାତ୍ମ୍ଯରେ ପାହାଡ଼ ଉପରେ ଥିବା ୫ଖଣ୍ଡ ଗ୍ରାମବାସୀ ଭୟ ଓ ଆତଙ୍କରେ ଦୈନନ୍ଦିନ ଅତିବାହିତ କରୁଥିଲେ । ମାଓବାଦୀଙ୍କ କାର୍ଯ୍ୟକଳାପ ସର୍ବଦା ଲାଗି ରହୁଥିବାରୁ ଏହି ଅଞ୍ଚଳକୁ ଯିବା ଲାଗି କୌଣସି ଲୋକ ପ୍ରମାଦ ମଣୁଥିଲେ । ବର୍ତ୍ତମାନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ୱାରା ଏହି ଅଞ୍ଚଳରେ ଦ୍ରୁତ ଗତିରେ ବିକାଶ ସମ୍ଭବ ହୋଇପାରିବ । ମାଓ କାର୍ଯ୍ଯକଳାପରେ ପ୍ରତିବନ୍ଧକ ଦେଖାଦେବା ସହ ଲୋକମାନେ ନିର୍ଭୟ ଏବଂ ନିରାପଦରେ ଜୀବନ ଜୀବୀକା ନିର୍ବାହ କରି ପାରିବେ ।
ଆଜିର ବିଏସଏଫ ସ୍ଥାପନ ସମୟରେ ବିଏସ୍ଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସପି ନୀତେଶ ୱାଧୱାନି,ବିଏସଏଫ କମାଣ୍ଡେଣ୍ଟ ମନୋଜ କାର୍କି, ବିଏସଏଫ ଡେପୁଟି କମାଡେଣ୍ଟ ଶୁଭ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅଵସରେ ସେଠାରେ ଏକ ଜନସମ୍ପର୍କ ଶିବିର ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋରମାନଙ୍କୁ ଚିକିତ୍ସା କରିବା ସହିତ ପୋଷାକ ପତ୍ର ଏବଂ ପିଲାମାନଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post