ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଚୋର ।

0 240

ବେଲଗୁଣ୍ଠା,୨୧/୦୭(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ ବିଞ୍ଚଣା ଗ୍ରାମ ଧୋବା ସାହିର ଲୋଚନ ସେଠୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ କଳାକନା ବୁଲାଇଛନ୍ତି । ସୂଚନା ପ୍ରକାରେ ଲୋଚନ ସପରିବାରେ ସୁରତ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଲୋଚନଙ୍କ ମାଆ ଭାସି ସେଠୀ ଏକାକୀ ନିଜ ଘରେ ରହୁଥିଲେ । ବୁଧବାର ଭାସିଙ୍କ ସ୍ଵାସ୍ଥ୍ୟ ଭଲ ନଥିବାରୁ ପଡିଶା ଘରେ ରହୁଥିବା ବଡପୁଅ ସଞ୍ଜୟ ସେଠୀଙ୍କ ଘରକୁ ଚାଲିଯାଇଥିଲେ । ଭାସି ସକାଳୁ ଉଠି ଲୋଚନଙ୍କ ବାରିପଟ କବାଟ ଭଙ୍ଗାଯାଇ ଜିନିଷପତ୍ର ଏଣେତେଣେ ପଡିଥିବା ଦେଖିଥିଲେ । ସେ ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମୀରା ଭାଙ୍ଗି ସେଥିରେ ଥିବା ଦଶ ହଜାର ଟଙ୍କା, ଅନ୍ୟ ଏକ କୋଠରୀରେ ଥିବା କାଠ ଆଲମୀରା ଭିତରୁ ଗୋଟିଏ ସୁନା ମଥାମଣି,କାନଫୁଲ,ସେବତୀ ଫୁଲ ସହ ଏକ ରୂପା ବ୍ରେସଲେଟ୍ ଚୋରମାନେ ନେଇଯାଇଥିବା ଜାଣିବାକୁ ପାଇଥିଲେ । ସୁନା ଅଳଙ୍କାର ପ୍ରାୟ ଦେଢଭରି ଓଜନର ହୋଇଥିବା ବେଳେ ରୂପା ବ୍ରେସଲେଟ୍ ଟି ପ୍ରାୟ ୪୦ ରୁ ୫୦ ଗ୍ରାମ୍ ଓଜନର ହେବ ବୋଲି ଜଣାପଡିଛି । ଏହା ସହ ଅନ୍ୟ ଏକ ପେଢିରେ ଥିବା ବାର ହଜାର ଟଙ୍କା ମଧ୍ୟ ଚୋରମାନେ ନେଇଯାଇଥିବା ରାଜୀବ୍ ଲୋଚନ ସେଠୀ ପ୍ରକାଶ କରିଛନ୍ତି । ଏନେଇ ସେ ସକାଳୁ ଶହେ ନମ୍ବର୍ ରେ ଡାଏଲ୍ କରିଥିଲେ । ପରେ ଥାନାରେ ଖବର ଦେବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ଅପରାହ୍ଣ ତିନିଟାରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ପୋଲିସ୍ ଚୋରମାନଙ୍କର କୌଣସୀ ସନ୍ଧାନ ପାଇପାରି ନାହିଁଁ । ଗତ କିଛି ଦିନ ହେବ ଚୋରମାନେ ସକ୍ରିୟ ହୋଇ ଉଠିଥିବାରୁ ପୋଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.