ଡେଙ୍ଗୁ କବଳରେ ମାଲକାନଗିରି ଜିଲ୍ଲା,ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ କୁ ବୃଦ୍ଧି ।

0 309

ମାଲକାନଗିରି,୧୭/୦୮(ପିପିଟି): ମାଲକାନଗିରି ଜିଲ୍ଲାରେ ଗତ କିଛି ମାସ ଧରି କ୍ରମାଗତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାରେ ଲାଗିଛି । ଜିଲାର ୬ଟି ବ୍ଲକରେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଡେଙ୍ଗୁ ନିମନ୍ତେ ଚିତ୍ରକୋଣ୍ଡା ଓ ବାଲିମେଳା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ମାଲକାନଗିରି ପୌରାଞ୍ଚଳରେ ଏନେଇ କୌଣସି କାର୍ଯ୍ୟକ୍ରମ ହେଉନାହିଁ । ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ୨୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ବ୍ଲକର ଗ୍ରାମାଞ୍ଚଳରେ ୨ଜଣ , ଚିତ୍ରକୋଣ୍ଡା ସଦର ମହକୁମାରେ ୬୩ ଜଣ, ଗ୍ରାମାଞ୍ଚଳରେ ୧୦ ଜଣ,ବଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳରେ ୧୭ ଜଣ , ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୩ ଜଣ , କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ଜଣ , କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫ ଜଣ , ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ , କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୭ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ଜଣା ପଡିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୬୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏ ସମ୍ପର୍କରେ ମଶାବାହିତ ରୋଗ ଉପ ନିର୍ଦ୍ଦେଶକ ଡଃ ଧନେଶ୍ବର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ , ପ୍ରତ୍ୟେକ ଅଞ୍ଚଳରେ ସ୍ଵତନ୍ତ୍ର ମେଡିକାଲ ଟିମ କାମ କରୁଛନ୍ତି । ଆଶା ଓ ଅଙ୍ଗନୱାଡି କର୍ମୀ ଏବଂ ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି । ସମସ୍ତେ ପ୍ରତ୍ୟେକ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏହି ଅଞ୍ଚଳରେ ଜାତାୟତ କରୁଥିବା ଲୋକମାନେ ମଧ୍ୟ ଏ ସମ୍ପର୍କରେ ସଚେତନ ହୋଇ ସ୍ବୟଂ ଧ୍ୟାନ ରଖିବା ଉଚିତ କାରଣ ଡେଙ୍ଗୁ ଆକ୍ରାନ୍ତ ରୋଗୀ ନିଜେ ସଚେତନ ନ ହେଲେ ଏଥିରୁ ରକ୍ଷା ପାଇବା କଷ୍ଟକର ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମାଲକାନଗିରି ପୌରପରିଷଦରେ ଥିବା ନାଳ ନର୍ଦ୍ଦମାଗୁଡିକରେ ମାଶା ତୈଳ ସିଞ୍ଚନ କରାଯାଉନଥିବା ବେଳେ ମଶା ଧୂଆଁଗାଡି ପ୍ରତ୍ଯେକ ୱାର୍ଡରେ ବୁଲୁନଥିବା ଦେଖାଯାଉଛି । ମଶା ନିୟନ୍ତ୍ରଣ ପାଇଁ ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡିଡିଟି ସିଞ୍ଚନ ମଧ୍ଯ କରାଯାଉ ନାହିଁ । ଫଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ମାଲକାନଗିରି ଜିଲ୍ଲାରେ ଆଶାତୀତ ଭବରେ ବୃଦ୍ଧି ପାଇବରେ ଲାଗିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.