ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ; ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ।

0 2,744

ସାନଖେମୁଣ୍ଡି,୨୨/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ୧୦ ଚକିଆ ମାଲବାହୀ ଟ୍ରକ୍ ଧକ୍କାରେ ଜଣେ ଯୁବକର ଶରୀର ଦୁଇଖଣ୍ଡ ହୋଇ ମୃତ୍ୟୁ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ସାମନ୍ତରାୟପୁର ଗ୍ରାମର ମୋହନ ଗୌଡ଼ ଏବଂ ଅନ୍ୟ ଜଣେ ଗୁରୁତର ଜଣକ ହେଲେ ବୁଲୁ ପାଣିଗ୍ରାହୀ ବୋଲି ସୂଚନା ମିଳିଛି । ସୁଚନା ଅନୁସାରେ ଶୁକ୍ରବାର ସକାଳୁ ମୋହନ ଓ ବୁଲୁ ଏକ ବାଇକ ଯୋଗେ ବିଲକୁ ଯାଉଥିବା ବେଳେ ଦିଗପହଣ୍ଡିରୁ ଆସିକା ଅଭିମୁଖେ ଯାଉଥିବା ଉକ୍ତ ଟ୍ରକଟି ( ଓଡି ୨୯ ଡି ୦୧୮୬) ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ ରାସ୍ତାରେ ଛିଟିକି ପଡିଥିବା ବେଳେ ମୋହନଙ୍କ ଉପରେ ଗାଡ଼ିଟି ଚଢି ଯାଇଥିଲା । ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପ୍ରସାରିତ ହେବାପରେ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୁଲୁଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ତେବେ ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଆସ୍କା ଏସ.ଡି.ପିଓ ଉମା ଶଙ୍କର ସିଂ ଓ ଅତିରିକ୍ତ ତହସିଲଦାର ଶୁଭ ପ୍ରସାଦ କାନୁନଗୋ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଦିନ ୧୦ଟା ସୁଦ୍ଧା ରାସ୍ତାରୋକ ହଟିନଥିବା ଜଣାପଡିଛି । ଯାହାଫଳରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.