ପାରଳାଖେମୁଣ୍ଡି,୦୫/୧୨(ପିପିଟି): ଗଜପତି ଜିଲ୍ଲାରେ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ଟସର ପ୍ରକଳ୍ପରେ ନିୟୋଜିତ ଶ୍ରମିକ ଓ ଚାଷୀମାନଙ୍କ ବକେୟା ମଜୁରୀ ପ୍ରଦାନ ଓ ତଥା ଅନ୍ୟାନ୍ୟ ଦାବି ନେଇ ଆଜି ଗଜପତି ଜିଲ୍ଲା ସେରିକଲଚର ଓ୍ଵାର୍କରସ୍ ୟୁନିଅନ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଧାରଣାର ଆୟୋଜନ ହୋଇଥିଲା । ୟୁନିଅନ୍ ସଭାପତି କାରୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ଟସର ଚାଷୀ, ଟସର ସାଥି ଓ ଟସର ମିତ୍ର ଯୋଗ ଦେଇ ନିଜର ସମସ୍ୟାକୁ ଉପସ୍ଥାପିତ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ କମିଟି ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲାରେ ଟସର ଚାଷ ଓ ତା ଉପରେ ନିର୍ଭରଶୀଳ ହଜାର ହଜାର ଚାଷୀ ଓ ଶ୍ରମିକଙ୍କ ସମସ୍ୟା ପ୍ରତି ସରକାରୀ ଅବହେଳାକୁ ନିନ୍ଦା କରିଥିଲେ । ସରକାର ଜିଲ୍ଲାରେ ଟସର ଚାଷର ବିକାଶ ପାଇଁ ଅତିତରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ତାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଅତିତରେ ସରକାରଙ୍କ ପ୍ରତିଶ୍ରୁତିରେ ଉତ୍ସାହିତ ହୋଇ ଟସର ଚାଷ କରିଥିବା ଜିଲ୍ଲାର ଶହ ଶହ ଚାଷୀ ଆଜି ସରକାରଙ୍କ ଉଦାସୀନତା ଯୋଗୁଁ ସମ୍ପୂର୍ଣ୍ଣ ନିରୁତ୍ସାହିତ ହେବା ସହ ଚାଷ ଛାଡିବାକୁ ଯାଉଛନ୍ତି ବୋଲି କହିଥିଲେ ।
ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇ ସେଥିରେ ଟସର ସାଥି,ଟସର ମିତ୍ର ଓ ଅନ୍ୟ ଶ୍ରମିକଙ୍କ ବକେୟା ମଜୁରୀ ଓ ଦରମାକୁ ତୁରନ୍ତ ପ୍ରଦାନ କରିବା, ପୁରୁଣା ପ୍ରକଳ୍ପର ନବୀକରଣ ଓ ନୂଆ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ, ଠିକ୍ ସମୟରେ ଟସର ଚାଷୀଙ୍କୁ ସାର, କୀଟନାଶକ, ଚାରା ଓ ଟସର ପୋକର ଅଣ୍ଡା ଯୋଗାଇବା, ଟସର କୋଷାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବାକୁ ଗୋଦାମର ବ୍ୟବସ୍ଥା,ଜିଲ୍ଲାରେ ଟସର ସୂତା ତିଆରି ଶିଳ୍ପ ପ୍ରତିଷ୍ଠା କରିବା ଆଦି ଦାବି କରାଯାଇଥିଲା । ୟୁନିଅନ୍ ପକ୍ଷରୁ କାରୁକା ଶବର, ସୁଭଦ୍ରା କାର୍ଯୀ, ଇସୋମତୀ ଭୂୟାଁ, ରୁଷମା ଗମାଙ୍ଗ, ଗାମନିଏଲ୍ ଭୂୟାଁ ଓ ଏଆଇକେଏମଏସ ଜିଲ୍ଲା ସମ୍ପାଦକ କେଦାର ଶବର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟସର ଶ୍ରମିକ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କିତ ଏକ ବୈଠକ ଡକାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣ ଧାରଣା ସ୍ଥଗିତ ରହିଥିଲା ।