ବାଲିଗୁଡା,୧୬/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି । ଏଥିରେ କୁଆଡେ ଗଣ୍ଡ ସମାଜର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ ନିବୃତ ରହିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ନଚେତ ହେମନ୍ତ ଏବଂ ଭବାନୀଙ୍କ ଭଳି ଦଶା ଭୋଗିବାକୁ ପଡିବ ଏବଂ ଏଥି ପାଇଁ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୁଲିସ ଅଧିକାରୀ ମାନେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ସୂଚନା ଯୋଗ୍ୟ ଯେ ଗତ ଜାନୁଆରୀ ୨୯ ତାରିଖରେ ସଶସ୍ତ୍ର ମାଓବାଦୀ ମାନେ ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସମେତ ଅନ୍ୟ ଜଣଙ୍କୁ ଘରୁ ଟେକି ଆଣି ନିର୍ମମ ଭାବେ ହତ୍ୟା କରିଥିଲେ, ତା ପରେ ପୁଣି ସେହି ଗାଁ ର ଅନ୍ୟ ୨ ଜଣଙ୍କୁ ଅପହରଣ କରିନେବା ପରେ ସେମାନଙ୍କୁ ଚବିଶି ଘଣ୍ଟା ପରେ ଛାଡିଥିଲେ l ଫଳରେ ଗାଁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ଆଜିର ଏହି ପୋଷ୍ଟର ପୁଣି ଲୋକଙ୍କ ନିଦ ହଜାଇବା ସହ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )