ଜୀବନ ଜୀବିକା ଦୋଛକିରେ ଚାଷୀ ; ନଇ ସେପଟେ ଜୀବନ ଓ ନଇ ଏପଟେ ଜୀବିକା ।

0 222

ଯାଜପୁର,୦୩/୦୩(ପିପିଟି); ନଦୀ ଏପାରିରେ ଜୀବନ ଆରପାରିରେ ଜୀବିକା, ଏପରି ପୁରୁଷ ପୁରୁଷ ଧରି ଭଦ୍ରକ ଜିଲା ଦୋହରାପାଟଣା ଗାଁର ଶହଶହ ଚାଷୀମାନେ ପଡୋଶୀ ଜିଲା ଯାଜପୁର ଜିଲାରେ ଥିବା କ୍ଷେତରେ ବାରମାସ ଫସଲ କରୁଥିଲେ ମଧ୍ୟ ଉଭୟ ଜିଲାରୁ ନା ପାଆନ୍ତି ସରକାରୀ ବିହନ ନା ପାଆନ୍ତି କ୍ଷତି ହୋଇଥିବା ଫସଲର ସହାୟତା। ଚାଷ ପ୍ରାରମ୍ଭରୁ ବିହନ ପାଇଁ ଉଭୟ ଜିଲାର ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା କହନ୍ତି ଦୋହରା ପାଟଣା ଗାଁର ଚାଷୀ ଜଗନ୍ନାଥ ମହାକୁଡ, ଗଙ୍ଗଧର ଦାସ ପ୍ରମୁଖ। ସବୁଠାରୁ ବଡକଥା ହେଲା ଜମି ଥିବା ଅଞ୍ଚଳ ବୈତରଣୀ ନଦୀର ଆରପାରିରେ ହୋଇଥିବାରୁ ପ୍ରତିଦିନ ସକାଳ ହେଲେ ଜୁଆରୀଆ ଭରାନଈରେ ଟଳମଳ ହୁଲି ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ଯାଇଥାନ୍ତି ନିଜର କ୍ଷେତକୁ, ପୁଣି ସଂଧ୍ୟା ହେଲେ ଫେରନ୍ତି ଘରକୁ। ଯଦି ବର୍ଷା କିମ୍ବା ପବନ ହେଲା ତାହାଲେ ରାତି କଟେ ଚାଷଜମିରେ। ଏପରିକି ଏହି ଅଞ୍ଚଳର ଚାଷଜମି ତଳମାଳରେ ହୋଇଥିବାରୁ ପ୍ରତିବର୍ଷ ବୈତରଣୀ ନଦୀରେ ଆସୁଥିବା ବଢିରେ ଫସଲ କେତେବେଳେ ସମ୍ପୂର୍ଣ୍ଣ ଧୋଇଯାଏ ତ ଆଉ କେତେବେଳେ ଅଳ୍ପକେ ବର୍ତ୍ତି ଯାଇଥାଏ। ଏପରିକି ବର୍ଷା ଅଭାବରୁ ମରୁଡି ମଧ୍ୟ ଦେଖାଦେଇଥାଏ। ହେଲେ ଚାଷୀମାନଙ୍କର ପରିବାର ପୋଷଣ ନିମନ୍ତେ ଅନ୍ୟ କିଛି ରୋଜଗାର ନଥିବାରୁ ବଜାରରୁ ବିହନ କିଣି ପୁଣି ଲାଗି ପଡନ୍ତି ଚାଷ କାର୍ଯ୍ୟରେ। ଏପରି ସମସ୍ୟା ବାବଦରେ କୃଷି ବିଭାଗର ଭିଏଡବ୍ଲୁ ରଞ୍ଜିତା ପଣ୍ଡାଙ୍କୁ ପଚାରିବାରୁ ଦୋହରା ଅଞ୍ଚଳର ଚାଷୀମାନଙ୍କର ଜମି ଯାଜପୁର ଜିଲାରେ ଥିବାରୁ ବିହନ କିମ୍ବା କୌଣସି ସହାୟତା ରାଶି ମିଳି ପାରିବ ନାହିଁ ବୋଲି ରୋକଠୋକ ଭାବେ ମନା କରିଥିଲେ। ହେଲେ ପୁରୁଷପୁରୁଷ ଧରି ଦୋହରାପାଟଣା ଗାଁର ଶହଶହ ଚାଷୀ ଭରାନଈ ଓ ହିଂସ୍ରକୁମ୍ଭୀରକୁ ଖାତିର ନକରି ନିଜର ଜୀବନଜୀବିକା ପାଇଁ ସଂର୍ଘଷ କରୁଥିଲ ପ୍ରଶାସନ କେବେ ତାଙ୍କ ଦୁଃଖ ବୁଝିବ ତାହା କେବଳ ଭଗବାନଙ୍କୁ ଜଣା ବୋଲି କହନ୍ତି ଗାଁର ପୁରୁଖା ଲୋକ ରକ୍ଷାକର ବାରିକ।

Leave A Reply

Your email address will not be published.