ମାଲକାନଗିରି , ୧୧/୦୭(ପିପିଟି): ଆଜି ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇ ମାଲକାନଗିରି ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ କହିଥିଲେ ଯେ ଜିଲ୍ଲାରେ ଅନେକ ସମୟରେ ଏକ ନିର୍ଦ୍ଧଷ୍ଟ ସମୟରେ ଶ୍ରମିକମାନେ କାମ ଅନୁସନ୍ଧାନରେ ବାହାରକୁ ଯାଇଥାନ୍ତି। ତେଣୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶ୍ରମ ବିଭାଗକୁ ଉକ୍ତ ସମୟକୁ ମାପିଂ କରି ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଯାହାଫଳରେ ଶିଶୁ ଶ୍ରମକୁ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି। ବିଶେଷ କରି ଜିଲ୍ଲାରେ ଦୃଷ୍ଟିଗୋଚର ହେଉଥିବା ଅନାଥ ଶିଶୁଙ୍କୁ କିଭଳି ଶିଶୁ ଶ୍ରମରୁ ମୁକ୍ତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ,ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ଉପଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇ କହିଥିଲେ ଯେ ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକ ବୃଦ୍ଧି ପାଇବାର ପ୍ରାସଙ୍ଗିକତା ରହିଛି । ମୁଖ୍ୟତଃ ଦାରିଦ୍ର୍ୟତା, ବ୍ୟକ୍ତିଗତ ଆବଶ୍ୟକତା, ସାମାଜିକ କାରଣ, ଶିକ୍ଷା, ପାରିବାରିକ ପରମ୍ପରା ଶିଶୁ ଶ୍ରମର ଅନ୍ୟତମ କାରଣ। ସେ ଶିଳ୍ପ ଆଇନ ୧୯୪୮, ଖଣି ଆଇନ ୧୯୫୨, ଶିଶୁ ଶ୍ରମ ଆଇନ ୧୯୮୬, ଶିଶୁ ସୁରକ୍ଷା ଆଇନ, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଆଇନ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସେ ଶିଶୁ ଶ୍ରମ ସହ ଜଡ଼ିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ସମସ୍ତଙ୍କୁ ସ୍ଵାଗତ ଜଣାଇ କହିଥିଲେ ଯେ ଶିଶୁର ମାନସିକତା ପରିବର୍ତ୍ତନ ଦ୍ଵାରା ଶିଶୁ ଶ୍ରମ ରୁ ନିବୃତ୍ତ ହୋଇ ପାରିବ। ସେ ଉପସ୍ଥିତ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଏବଂ ବିଭିନ୍ନ ସଂସ୍ଥାଗୁଡିକରେ ଶିଶୁ ଶ୍ରମିକ ନିୟୋଜିତ କଲେ,ଏହା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ । ସେହି ପରି ସମସ୍ତ ସରକାରୀ କର୍ମଚାରୀ ନିଜ ଘରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିବେ ନାହିଁ ବୋଲି ଶପଥ ନେବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଜିଲ୍ଲା ମଙ୍ଗଳ କମିଟିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ ,ଶିଶୁ ଶ୍ରମିକ ମୁକ୍ତ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସମସ୍ତଙ୍କୁ ସଚେତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ସହାୟକ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସମେତ ମିଲର ସଂଘ, ଶିକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ କମିଟିର ସଦସ୍ୟ, ବିଭିନ୍ନ ଏନଜିଓ ର ସଦସ୍ୟମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)