ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

0 331

ମାଲକାନଗିରି ,୦୩/୦୭ (ପିପିଟି):ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁରାଧା ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ମହାନ୍ତିଙ୍କ କର୍ତ୍ତବ୍ୟନିଷ୍ଠା ଓ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଅବସର କାଳୀନ ସମୟ ପାଇଁ ଶୁଭେଚ୍ଛା ଜଣାଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ମାଲକାନଗିରିରେ ଖୁବ୍ କମ୍ ସମୟର ରହଣି ମଧ୍ୟରେ ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସେହିପରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ, ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଉତ୍ତମ ପ୍ରଦର୍ଶନ ରହିଥିଲା ବୋଲି କହିଛନ୍ତି । ଜିଲ୍ଲାରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକର ପ୍ରଦର୍ଶନ ଉତ୍ତମ ରହିଥିବାରୁ ରାଜ୍ୟ ସ୍ତରରେ ସେ ପୁରସ୍କୃତ ହୋଇଥିଲେ । ଯାହା କି ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ବିଷୟ ଥିଲା ବୋଲି ସେ ମତ ବ୍ୟକ୍ତ କରିଥିଲେ। ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇ ଶ୍ରୀମତୀ ମହାନ୍ତି କହିଥିଲେ ଯେ ତାଙ୍କର କର୍ମମୟ ଜୀବନରେ ମାଲକାନଗିରି ଜିଲ୍ଲାରେ କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କ ଜୀବନର ଶ୍ରେଷ୍ଠ ଏବଂ ଅଭୁଲା ମୁହୂର୍ତ୍ତ ହୋଇ ରହିବ। ଆଦିବାସୀ ଅଧ୍ୟୁଷିତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିଲ୍ଲାରେ କାମ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଥିଲା ବୋଲି ସେ କହିଛନ୍ତି।
ସୂଚନା ଥାଉ କି, ଶ୍ରୀମତୀ ମହାନ୍ତି ସମ୍ବଲପୁର ଜିଲ୍ଲାର ବାମରା ବ୍ଲକରୁ ୨୦ ଅଗଷ୍ଟ ୧୯୮୭ରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୫ ବର୍ଷର ବୃତ୍ତିଗତ ଜୀବନରେ ସେ ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ସୁଚାର ରୂପେ ଦାୟିତ୍ୱ ସମ୍ପନ୍ନ କରି ସମସ୍ତଙ୍କ ପ୍ରୀତି ଭାଜନ ହୋଇପାରିଥିଲେ। ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ସ୍ମୃତି ସ୍ମାରକୀ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.