ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ପୁଷ୍ପାରାଣୀ ପଡିଆମୀ ।

0 223

ମାଲକାନଗିରି,୨୩/୧୨(ପିପିଟି):ମାଲକାନଗିରି ଜିଲ୍ଲା ମହିଳା କଂଗ୍ରେସ ଦଳର ନବ ନିଯୁକ୍ତ ସଭାନେତ୍ରୀ ହେଲେ ପୁଷ୍ପାରାଣୀ ପଡିଆମୀ । ଶ୍ରୀମତୀ ପଡିଆମୀ ବର୍ତ୍ତମାନ ଚାଲାଣଗୁଡା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ଏହା ପୂର୍ବରୁ ପୁଷ୍ପାରାଣୀ ପଡିଆ ବ୍ଲକର ଅଧ୍ଯକ୍ଷା ଭାବରେ ୨୦୦୧ ରୁ ୨୦୦୬ ପର୍ଯ୍ଯନ୍ତ ଦାୟିତ୍ବରେ ରହି ସେ ଅଞ୍ଚର ବହୁ ଉନ୍ନୟନ କାର୍ଯ୍ଯ କରି ଜନପ୍ରିୟତା ହାସଲ କରିଥିଲେ । ଫଳରେ ୨୦୦୫ରେ ତାଙ୍କୁ ରାଜୀବ ଗାନ୍ଧି ସଦଭାବନା ପୁରସ୍କାର ମିଳିଥିଲା । ପୁନଶ୍ଚ ୨୦୦୭ ରୁ ୨୦୧୨ ପର୍ଯ୍ଯନ୍ତ ପଡିଆ ଜିଲ୍ଲା ପରିଷଦ ଜୋନକୁ ବିଜୟ ଲାଭ କରି ଜିଲ୍ଲା ପରିଷଦ ସଦସ୍ଯା ହେବାରେ ସଫଳ ହୋଇଥିଲେ । ସରପଞ୍ଚ ଭାବେ ଚାଲାଣଗୁଡା ପଞ୍ଚାୟତରେ ୨୦୧୭ ରୁ ବର୍ତ୍ତମାନ ପର୍ଯ୍ଯନ୍ତ ଦାୟିତ୍ବରେ ରହିଥିବା ବେଳେ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮ରେ ଚାଲାଣଗୁଡାକୁ ଉତ୍ତମ ପଞ୍ଚାୟତ ଭାବେ ଡିସେମ୍ବର ୨୦୧୮ରେ ୫ ଲକ୍ଷ ଅର୍ଥ ରାଶି ସହିତ ପୁଷ୍ପାରାଣୀ ପଡିଆମୀଙ୍କୁ ରାଜ୍ଯ ସରକାର ପୁରସ୍କାର ପ୍ରଦାନ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ଯତା ସ୍ନାତକ ହୋଇଥିବା ବେଳେ ୨୦.୦୨.୧୯୮୦ ରେ ପଡିଆ ବ୍ଲକର ଗଠନ ପଲ୍ଲୀରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।୨୦୦୩ ମସିହାରେ ଚାଲାଣଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀଙ୍କୁ ବିବାହ କରିଥିଲେ । ପୁଷ୍ପାରାଣୀ ପଡିଆମୀ କଂଗ୍ରେସର ଜଣେ ଟାଣୁଆ ନେତ୍ରୀ ଭାବେ ମାଲକାନଗିରି ଜିଲ୍ଲାରେ ସୁଖ୍ଯାତି ରହିଛି । ବର୍ତ୍ତମାନ ସେ ରାଜ ଲକ୍ଷ୍ମୀ ସ୍ବୟଂ ସହାୟକ ଦଳର ସଭାନେତ୍ରୀ ରହି ମହିଳାମାନଙ୍କୁ ଆର୍ଥିକ ବିକାଶରେ ବହୁ ବିଧ କାର୍ଯ୍ଯ କରି ପ୍ରଶଂସା ସାଉଁଟୁଥିବା ବେଳେ ମାଲକାନଗିରି ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ନାରୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଯଦିଚ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇ ମାଲକାନଗିରି ଜିଲ୍ଲାର କଂଗ୍ରେସ ଦୁର୍ଗକୁ ଦୁର୍ବଳ କରିଛନ୍ତି,ତଥାପି କଂଗ୍ରେସର ରଣ ନୀତି ଆଗାମୀ ନିର୍ବାଚନରେ ଅନ୍ଯ ଦଳକୁ ବିଜୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.