ମାଲକାନଗିରି,୧୮/୦୩(ପିପିଟି): ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ଯୁବ ଗ୍ରାମସଭା ସଂସଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ ।ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ସମାପ୍ତ କରି ଚାକିରି ଅପେକ୍ଷାରେ ରହିଥାନ୍ତି । ଚାକିରି ବାହାରିଲେ ବିଶେଷ କରି ଅନ୍ଯ ଜିଲ୍ଲାର ଯୁବକ ଯୁବତୀମାନେ ଚାକିରିରେ ନିଯୁକ୍ତି ପାଉଥିଲେ ମଧ୍ଯ ମାଲକାନଗିରି ଜିଲ୍ଲାର ପ୍ରାର୍ଥିମାନେ ନିଯୁକ୍ତି ପାଉ ନାହାନ୍ତି । ଫଳରେ ଦିନକୁ ଦିନ ଜିଲ୍ଲାରେ ବେକାର ସମସ୍ୟା ଆଶାତିତ ଭାବେ ବୃଦ୍ଧି ପାଇଛି । ନିଯୁକ୍ତି ଅଭାବରୁ ଶିକ୍ଷିତ ଯୁବକ ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ମାଲକାନଗିରି ଜିଲ୍ଲାର କର୍ମ ନିୟୋଜନ କାର୍ଯ୍ୟାଳୟେ ପ୍ରାୟ ୧୧ ହଜାରରୁ ଉର୍ଦ୍ଧ୍ବ ଶିକ୍ଷିତ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରତି ବର୍ଷ ବୟସାଧିକ୍ଯ ଯୋଗୁଁ ପଞ୍ଜିକରଣରୁ ନାମ ବାଦ ପଡିଥାଏ । ଅନ୍ୟ ଜିଲ୍ଲାର ଯୁବକ ଯୁବତୀ ମାନେ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ବେକାର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ବନ୍ଧରେ ପ୍ରଶାସନ ତରଫରୁ ମଧ୍ୟ କୌଣସି ଯାଞ୍ଚ କିମ୍ବା ତଦନ୍ତ କରା ଯାଉ ନଥିବାରୁ ଏପରି ସମସ୍ୟା ଉପୁଜିବାରେ ଲାଗିଛି I ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ ସଂଘ ଦାବି କରିଛି । ଏହି ସମସ୍ୟାର ସମାଧାନ ତୁରନ୍ତ କରା ନ ଗଲେ ଆସନ୍ତା ମାସ ୪ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଉଛନ୍ତି। ଏ ନେଇ ଯୁବ ଗ୍ରାମ ସଭା ସଂସଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ରମେଶ ଚନ୍ଦ୍ର ମାଝି, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ମଧ୍ଯ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଵିକ୍ଷୋଭରେ ଯୁବ ଗ୍ରାମସଭା ସଂସଦର ଦଶରଥ ପଡିଆମି, ରବୀନ୍ଦ୍ରନାଥ ମାଡ଼ି, ସୋନୁ ଅନୁଗୁ, ସୋମେଶ ବାଘ,ସଞ୍ଜୟ ମାଡ଼କାମି, ସରସ୍ୱତୀ ନାୟକ,ସସ୍ମିତା ପଡ଼ିଆମୀ,ମୁକା ମାଡ଼ି,ମାଧବ ପଡ଼ିଆମୀ,ଇର୍ମା ମାଡ଼ି, ଇନ୍ଦ୍ରଜିତ ମାଡକାମୀ,ଦେବା ସୋଡି, ଟୁନା ମାଡକାମୀ,ଦଶରଥ ମାଡକାମୀ, ରାମ ମୂର୍ତି ମାଡକାମୀ,କେ ଦେଶୀ ରାଜୁ ଆଚାରୀ,ସୁକାନ୍ତି ମାଡକାମୀ, ରାଜା କର୍ତ୍ତାମି, ଅଜୟ ମାଡକାମୀ ଯୋଗ ଦେଇ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post