ମାଲକାନଗିରି,ତା:୨୩/୦୯(ପିପିଟି):ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ମାଲକାନଗିରିରେ ରହିଆସୁଥିବା ବେଳେ ହଠାତ୍ ତାଙ୍କର ଇସ୍ତଫାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ୧୯୮୪ ମସିହାରୁ ସେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି ବୋଲି ସେ କହିଛନ୍ତି। ଏପିରିକି ପିସିସି ମଧ୍ୟ ତାଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରି ତାଙ୍କୁ ଆଗକୁ ବଢିବାର ସୁଯୋଗ ମଧ୍ୟ ଦେଇଥିଲା। ତେବେ ଜିଲ୍ଲା କଂଗ୍ରେସରେ ସେ ଚାଣିକ୍ୟ ଭଳି କାମ କରୁଥିଲେ। ତାଙ୍କର ପ୍ରତ୍ୟେକ ଚାଲ ବିରୋଧିଙ୍କୁ ହରଡଘଣାରେ ପକାଉଥିଲା। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ପଚାରିବାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଂକର ଇସ୍ତଫା ପତ୍ର ପାଇନାହାଁନ୍ତି ବୋଲିି କହିଛନ୍ତି। ତେବେ ସେ କାହିଁକି ଇସ୍ତଫା ଦେଉଛନ୍ତି ତାଙ୍କୁ ପଚାରିବା ସହ ସେ ପୁଣି ନିଜର ଏହି ମନ୍ତବ୍ୟକୁ ପୁନର୍ବିଚାର କରନ୍ତୁ ବୋଲି କହିବି। ତାଙ୍କର ଅନୁପସ୍ଥିତ ଜିଲ୍ଲା କଂଗ୍ରେସକୁ ଜଣାପଡିବ ବୋଲି ସେ କହିଥିଲେ। ଦୀର୍ଘ ଦିନ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ କାମ କରିଥିବାରୁ ତାଙ୍କୁ ପୁଣି ଫେରାଇ ଅଣିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ମାଝି କହିଥିଲେ। ଅନ୍ୟଦିଗରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କୁ ପଚାରିବାରୁ ସେ ବର୍ତ୍ତମାନ ସୁଦ୍ଧା ଇସ୍ତଫା ପତ୍ର ପାଇନଥିବା ବେଳେ ହୁଏତ ଘରେ ଇସ୍ତଫା ପହଞ୍ଚିଯାଇଥିବ ବୋଲି କହିଥିଲେ। ସେ ବର୍ତ୍ତମାନ ଡାକ୍ତରଖାନାରେ ଥିବାରୁ ଏହା ଜାଣିନଥିବା କହିଥିଲେ। ଯଦି ସେ ଇସ୍ତଫା ଦେଇଛନ୍ତି ତେବେ କଂଗ୍ରେସ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କର ଅନୁପସ୍ଥିତ କଂଗ୍ରେସକୁ ନିଶ୍ଚିତ ଜଣାପଡିବ।
କଂଗ୍ରେସରେ କିନ୍ତୁ ଏଭଳି ବହୁ ନେତା ଛାଡୁଛନ୍ତି ଏବଂ ବହୁ ନେତା ମଧ୍ୟ ଯୋଗ ଦେଉଛନ୍ତି। କଂଗ୍ରେସ ଏକ ବଡ ଦଳ, ତେଣୁ କେହି ଗଲେ କେହି ଆସିଲେ କିଛି ଫରକ ପଡେ ନାହିଁ। ଦୀର୍ଘ ଦିନ ଧରି ତାଂକ ସହ କାମ କରିଥିବାରୁ ତାଂକର ଅନୁପସ୍ଥିତ ଆମକୁ ଜଣାପଡିବ। ତେବେ ରାମ ପ୍ରସାଦ ପଟ୍ଟନାୟକ କେଉଁ ଦଳରେ ଯୋଗ ଦେବେ ବୋଲି ତାଙ୍କୁ ପଚାରିବାରେ ସେ କୌଣସି ଦଳରେ ବର୍ତ୍ତମାନ ଯୋଗ ଦେବେ ନାହିଁ ବୋଲି ଉତ୍ତର ଦେଇଥିଲେ। ରାମ ପଟ୍ଟନାୟକଙ୍କ ଇସ୍ତଫା ଦଳକୁ କ୍ଷତି ପହଞ୍ଚାଇବା ସହ ଏକ ବଡ ଧରଣର ଅଦଳବଦଳ ହେବାର ଆଶଙ୍କା କରାଯାଉଛି। ଏନେଇ କାଲିମେଳା ବ୍ଲକ ଅଧ୍ୟକ୍ଷ ତଥା ବିଧାୟକ ପ୍ରତିନିଧି ମାଲା ମାଢିଙ୍କୁ ପଚାରିବାରୁ ସେ କହିଥିଲେ ଯେ ରାମ ପଟ୍ଟନାୟକ ଦଳର ଜଣେ ବରିଷ୍ଠ କର୍ମୀ ଓ ନେତା। ତାଙ୍କର ଅନୁପସ୍ଥିତ ଦଳ ପାଇଁ କ୍ଷତି କରିବ। ତେଣୁ ସେ ଏନେଇ ପୁନର୍ବିଚାର କରିବା ଦରକାର। ତେବେ ରାମ ପଟ୍ଟନାୟକ କେଉଁ ଦଳରେ ଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post