ଜିଲ୍ଲାସ୍ତରୀୟ ୮୮ତମ ଓଡ଼ିଶା ଦିବସ ପାଳିତ ।

0 250

ମାଲକାନଗିରି,୦୧/୦୪(ପିପିଟି): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଠାରେ ୮୮ ତମ ଓଡିଶା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଭଉଣୀଭାଇଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ତାଙ୍ଗୁଲୁ ଓଡ଼ିଶାର ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରି କହିଲେ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭଳି ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ ସାକାର ହୋଇପାରିଥିଲା ।ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ବରପୁତ୍ର ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ଜିଲ୍ଲାବାସୀଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ଏବଂ କହିଥିଲେ ଯେ ଓଡ଼ିଶାର ସାଂସ୍କୃତିକ ବିବିଧତା ଆମର ସବୁଠାରୁ ବଡ଼ ପରିଚୟ।ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ବିଶ୍ବ କପ୍ ହକି ଭଳି କ୍ରୀଡା ଆୟୋଜନ କରି ଆଜି ସମଗ୍ର ବିଶ୍ବରେ ଓଡିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା, ବରିଷ୍ଠ ଆଇନଜୀବୀ ଅଶୋକ ପଟ୍ଟନାୟକ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ବଳରାମ ପୁଜାରୀ ଯୋଗ ଦେଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଇତିହାସ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିବା ସହ ଓଡ଼ିଶାକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ଏକ ମନ ପ୍ରାଣ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜିଲ୍ଲାର ଦୁଇ ଜଣ ଶିକ୍ଷକ ଦିଲ୍ଲୀପ କୁମାର ଓଝା ଏବଂ କରୁଣାକର ମଲ୍ଲିକଙ୍କୁ ୨୦୧୭ ବର୍ଷ ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ପ୍ରଭାତରେ ଉତ୍କଳ ବନ୍ଦନା କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପୌର ପରିଷଦ, ରାସ୍ତା ଓ କୋଠାବାଡ଼ି ଓ ଜିଲ୍ଲା ଶିକ୍ଷା ବିଭାଗ ସହଯୋଗ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.