ମାଲକାନଗିରି,ତା:୦୧/୧୧(ପିପିଟି); ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ସରକାରୀ ବେଙ୍ଗଲୀ ପ୍ରାଥମିକ ବାଦ୍ଯାଳୟଟି ୧୯୬୨ ମସିହାରେ ତତ୍କାଳିନ ଦଣ୍ଡକାରଣ୍ଯ ପ୍ରକଳ୍ପ ସମୟରେ ସ୍ଥାପନ କରାଯାଇଥିଲା । ଆଜକୁ ଦୀର୍ଘ ୫୮ ବର୍ଷରେ ପଦାର୍ପଣ କରିଥିବା ଏହି ପ୍ରାଚୀନ ପ୍ରାଥମିକ ବିଦ୍ଯାଳୟଟି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ଶିକ୍ଷା ପ୍ରଦାନ କରାଯାଇଥାଏ । ଶ୍ରେଣୀ ପ୍ରକୋଷ୍ଠଗୁଡିକ ଅସୁରକ୍ଷିତ। କେଉଁଠି କାନ୍ଥ ଫଟି ଯାଇଛିତ,କେଉଁଠି ଟିଣଗୁଡିକ କଳଙ୍କି ଲାଗି ବଡ ବଡ ଛିଦ୍ରରେ ପରିଣତ ହୋଇଛି । କେଉଁଠି ଟିଣ ନାହିଁ । ଉଇ ଚରିଯାଇଥିବା କାଠଗୁଡିକ ଛାତରୁ ଝୁଲନ୍ତା ଅବସ୍ଥାରେ ରହିଛି । କେଉଁଠି ଝରକା ନାହିଁ । ବର୍ଷ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ କୋମଳ ମତି ପିଲାଙ୍କୁ ଏଭଳି ପ୍ରୋକଷ୍ଠରେ ବସାଯାଇ ଶିକ୍ଷାଦାନ କରାଯାଉଛି । ବର୍ଷା ଦିନେ ବିଦ୍ଯାଳୟର ଅବସ୍ଥା ଶୋଚନୀୟ । ଶ୍ରେଣୀ କକ୍ଷଗୁଡିକରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ସେହି ସମୟରେ ପାଠ ପଢାରେ ବାଧା ଉପୁଜିଲେ ମଧ୍ଯ ଶିକ୍ଷକମାନେ କରିବେ କଣ ? ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ଦେଇ ଗତି କରୁଥିବା ବିଦ୍ଯାଳୟଟି ପୁଣି ଦୁର୍ଦ୍ଦଶାର ଆଉ ପାଦେ ଆଗେଇ ଯୋଡି ହୋଇଯାଇଛି । ଗତ ବର୍ଷା ଦିନେ ବଡ ବତାସରେ ମୂଳରୁ ଉପୁଡି ପଡିଲାଏ ଏକ ବିରାଟ କୃଷ୍ଣଚୂଡା ବୃକ୍ଷ । ପାଚେରୀ ଉପରେ ପଡିବା ଯୋଗୁଁ ପୂରାତନ ପାଚେରୀ କାନ୍ଥଟି ଚୁରମାର୍ ହୋଇଗଲା । ବିଦ୍ଯାଳୟଟି ବର୍ତ୍ତମାନ ସୁରକ୍ଷା ବଳୟରୁ ମୁକ୍ତ ଯୋଗୁଁ ରାତିରେ ଅସାମାଜିକ ଯିବକମାନଙ୍କର ଆଡ୍ଡା ସ୍ଥଳିରେ ପରିଣତ ହୋଇଛି । ମଦ ବୋତଲ ବିଦ୍ଯାଳୟ ପରିସରରେ କୁଢ କୁଢ । ସେଠାରେ ଅନୈତିକ ଧନ୍ଦା ଚାଲୁଥିବାର ମଧ୍ଯ ସାଧାରଣରେ ଅଭିଯୋଗ ହେଉଛି । ସରକାରୀ ବିଦ୍ଯାଳୟଗୁଡିକରେ ସାଧାରଣତଃ ଗରିବ ଏବଂ ମଧ୍ଯବିତ୍ତ ଶ୍ରଣୀର ପିଲାମାନେ ପାଠ ପଢିଥାନ୍ତି । ପ୍ରାଥମିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ମାଗଣା ମଧ୍ଯାହ୍ନ ଭୋଜନ,ମାଗଣା ପାଠ୍ଯ ପୁସ୍ତକ ଆବଣ୍ଟନ,ମାଗଣା ପୋଷାକ ବିତରଣ ଏକ ମାଧ୍ଯମ । କିନ୍ତୁ ଯେଉଁ ଅଭିଭାବକ ମାନଙ୍କ ଆର୍ଥିକ ସ୍ବଛଳ ରହିଛି ସେମାନଙ୍କ ପିଲାମାନେ ବେସରକାରୀ ବିଦ୍ଯାଳୟରେ ରାଜକୀୟ ପରିପାଟିରେ ଅଧ୍ଯୟନ ରତ । ସେଠାରେ ସମସ୍ତ ସୁଖ ସୁବିଧାର ବାତାବରଣ ଉପଲବ୍ଧ । ୧୯୬୨ ମସିହାରେ ନିର୍ମିତ ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ଯାଳୟକୁ ଲାଗି ଦଣ୍ଡକାରଣ୍ଯ ଖେଳ ପଡିଆ । ୨୦୦୩ ମସିହାରୁ ଏହି ପଡିଆରେ ପ୍ରତି ବର୍ଷ ଆରମ୍ଭ ହୁଏ ମାଲ୍ଯବନ୍ତ ମହୋତ୍ସବ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଶଣ ହୁଏ । ବିଭନ୍ନ ରାଜ୍ଯରୁ ଆସିଥିବା କଳାକାରମାନେ ଏହି ବିଦ୍ଯାଳୟଟିକୁ ଗ୍ରିନ ରୁମ ଭାବରେ ବ୍ଯବହୃତ କରିଥାନ୍ତି ।ବିଦ୍ଯାଳୟକୁ ସଂଲଗ୍ନ ମୁକ୍ତାକାଶ ରଙ୍ଗ ମଞ୍ଚଟି ସାଜ୍ଜ ସଜ୍ଜାରେ ନବ ଯୌବନ ପ୍ରାପ୍ତି ହୁଏ । ତିନି ଦିନ ବ୍ଯାପି ମାଲ୍ଯବନ୍ତ ମହୋତ୍ସବରେ କେତେ ମନ୍ତ୍ରୀ ବିଧାୟକ ନେତା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ହଜାର ହଜାର ଦର୍ଶକମାନଙ୍କୁ ମାଲକାନଗିରି ଜିଲ୍ଲା ବିକାଶର ସ୍ବପ୍ନ ବୁଣନ୍ତି । ତିନି ଦିନର ଗହଳ ଚହଳ କୋଳାହଳ ନିସ୍ପ୍ରଭ ହୋଇଗଲା ପରେ ବଡ ବଡ ପ୍ରତିଶ୍ରୁତି ଜଳ ବିମ୍ବପରି ଉଭେଇ ଯାଏ । ସେମିତି ମୁକ୍ତାକାଶ ରଙ୍ଗ ମଞ୍ଚର ଗ୍ରୀନ ରୁମ ସାଜିଥିବା ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ଯାଳୟଟି ସମସ୍ତ ଆଢୁଆଳରେ ଅଲୋଡା ଅଖୋଜା ହୋଇ ଭଗ୍ନ ପାନ୍ଥଶାଳର ରୁକ୍ଷ କଦାକାର କଙ୍କାଳ ସାର ହୋଇ ଆମକୁ ଉପହାସ କରେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)