ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨ର ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବିରେ ଧରାକୋଟରେ ଜନସମାବେଶ ।

0 294

ଧରାକୋଟ,୦୭/୧୨(ପିପିଟି):କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨କୁ ପ୍ରତ୍ୟାହାର କରିବା, ଆଦିବାସୀ ଯୁବକ ନାରାୟଣ ଗମାଙ୍ଗର ହତ୍ୟାକାରୀମାନଙ୍କୁ ଗିରଫ କରିବା ଓ ଅନ୍ୟାନ୍ୟ ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଧରାକୋଟ ବ୍ଳକ୍ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ସଡିଙ୍ଗିପଲ୍ଲୀ ଠାରେ ଏକ ଆଦିବାସୀ ସମାବେଶ ଆୟୋଜିତ ହୋଇଥିଲା । କିଶାନ୍ ମଜଦୁର୍ ସଭାର ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଉଦବୋଧନ ଦେଇ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ମୋଦି ସରକାର ଦେଶୀ ବିଦେଶୀ କର୍ପୋରେଟଙ୍କ ସ୍ଵାର୍ଥରେ ଆଣିଥିବା ଏହି ନିୟମାବଳୀ ଆଦିବାସୀ ଓ ପାରମ୍ପରିକ ବନଜୀବିଙ୍କ ଜଙ୍ଗଲ ଅଧିକାର ଉପରେ ଆକ୍ରମଣ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗ, ବ୍ଳକ୍ ସମ୍ପାଦକ ରବି ଗମାଙ୍ଗ, ଜିଲ୍ଲା କମିଟି ସଭ୍ୟ କାଳୀଚରଣ ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା, ଜନଜାଗରଣ ଆବାହକ ମଧୂସୁଦନ, ଯୁବନେତା ଲକ୍ଷ୍ମୀ ନୃସିଂହ, ଆଇଏଫଟିୟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅରକ୍ଷିତ ଗମାଙ୍ଗ, ନରସିଂହ ଦଳବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ର ପ୍ରତ୍ୟାହାର, ଆଦିବାସୀ ଯୁବକ ନାରାୟଣ ଗମାଙ୍ଗଙ୍କ ହତ୍ୟାରେ ସାମିଲ ବିଜେଡି ସମର୍ଥକମାନଙ୍କୁ ପୋଲିସ ଗିରଫ କରିବା, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ଭୂମିହୀନ ଓ ଗୃହହୀନଙ୍କୁ ଜମି ଘରଡିହ ପଟ୍ଟା ପ୍ରଦାନ କରିବା ଆଦି ଦାବିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.