ଭଞ୍ଜନଗର:୧୮/୦୮(ପିପିଟି); ଚୋରା ନକଲି ମଦ କାରବାରକୁ ରୋକିବା ପାଇଁ ଗଞ୍ଜମ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଓ ଆସିକା ଅବକାରୀ ବିଭାଗ ତରଫରୁ ଚଢ଼ାଉ ବେଳେ ଅପହଞ୍ଚ ଇଲାକା ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ କୋଠା ରେ ଦୀର୍ଘଦିନ ଧରି ଚାଲିଥିବା ଏକ ନକଲି ମଦ କାରଖାନାକୁ ଗତ ୧୬ତାରିଖରେ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ବିଭିନ୍ନ ନାମିଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ସହ ଏହାର ପ୍ରସ୍ତୁତିରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କରିଛି।ସେହି ସ୍ଥାନରୁ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହେଇ ଯାଇଥିବା ଜଣାପଡିଛି। ବିଶ୍ୱସ୍ତ ସୂତ୍ରରୁ ଭଞ୍ଜନଗର ଥାନା ଅଧୀନ ବିରିପଦର ନିକଟ ରାଇପଲ୍ଲୀ ଜଙ୍ଗଲରେ ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା। ସେହି ତଥ୍ୟ ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ରାଇପଲ୍ଲୀ ଜଙ୍ଗଲରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ହୋମିଓପ୍ୟାଥିକ ଔଷଧ, ଇମ୍ପେରିଆଲ ବ୍ଲୁ ହୁଇସ୍କି ,ରୟାଲ ଷ୍ଟାଗ ପ୍ରିମିଅର ହୁଇସ୍କି ଆଦି ସର୍ବମୋଟ ୨୩୨.୦୨୦ବି.ଏଲ,ଡୁପ୍ଲିକେଟ ଷ୍ଟିକର ୧୧୧୯ଗୋଟି, ବିଭିନ୍ନ କମ୍ପାନୀ ଲେବଲ ୨୧୭୧ଗୋଟି, ବୋତଲ ଠିପି୨୫୬ଗୋଟି, ସ୍ପିରିଟ ୨୦ଲିଟର, ଖାଲି ବୋତଲ ୩୭୦ଗୋଟି ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦୋ ମୁହାଣୀ ନିକଟ ଗରୁଡ଼ ଗ୍ରାମର ଟୁବୁଲୁ ନାୟକ ଓରଫ୍ ଆକାଶ । ଚଢ଼ାଉ ଦେଖି ସେଠାରେ ଥିବା ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ନକଲି ମଦ ପ୍ରସ୍ତୁତ ଓ ବ୍ୟବସାୟର ମାଷ୍ଟର ମାଇଣ୍ଡକୁ କାବୁ କରିବାକୁ ତଦନ୍ତ ଜୋରଦାର କରାଯାଇଥିବା ଭଞ୍ଜନଗର ଅବକାରୀ ଓଆଇସି ରମ୍ଭା ବାଗ୍ କହିଛନ୍ତି। ଏହି ବେଆଇନ କାରବାର ରେ ଏକ ବଡ଼ ଧରଣର ରାକେଟ ସକ୍ରିୟ ରହିଥିବା ବେଳେ ତଦନ୍ତକୁ ବ୍ୟାପକ କରାଯିବା ସହ ଗିରଫ ଅଭିଯୁକ୍ତ ଟୁବୁଲକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ ଏସଆଇ ରାମେଶ୍ବର ବେହେରା,ସନାତନ ନାୟକ,କୃଷ୍ଣ ସେଠୀ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )