ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର ।

0 402

ଭଞ୍ଜନଗର,୧୬/୦୩(ପିପିଟି);ଆଜି ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ଅଧୀନସ୍ଥ ଶ୍ରୀରାମ ନଗର ବନ ସୁରକ୍ଷା ସମିତି ଆନୁକୂଲ୍ୟରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଚେତନତା ବାର୍ତ୍ତା ପ୍ରଚାର ନିମନ୍ତେ ଏକ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମକୁ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରାଲିରେ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟା, ଏନସିସି ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ ଏବଂ ସ୍ୱାତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇ ଏକ ସାଇକେଲ୍ ଶୋଭାଯାତ୍ରାରେ ଶ୍ରୀରାମ ନଗର, ଗଣ୍ଡିଶୂଳା ଏବଂ ବୁଦୁଲି ବନ ସୁରକ୍ଷା ସମିତି ପରିକ୍ରମା କରି ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ସହଯୋଗ ଏବଂ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଵାତୀ ଅନୁଷ୍ଠାନର କର୍ମୀଙ୍କୁ ନେଇ ପରିବେଶ ସଚେତନତା ସହ ପ୍ରତ୍ଯେକ ମନୁଷ୍ୟର ମୌଳିକ କର୍ତ୍ତବ୍ୟ ଉପରେ ଏକ ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଯୋଗ ଦେଇ ଯୁବ ପୀଢ଼ିଙ୍କ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଏବଂ ସଡ଼କ ସୁରକ୍ଷା ଉପରେ ଅଧିକ ସଚେତନ କରାଯାଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ବନ କର୍ମଚାରୀ ତଥା ବରିଷ୍ଠ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ସ୍ଵାତୀ ଅନୁଷ୍ଠାନ କର୍ମୀ ଏବଂ ବନ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.