ମାଲକାନଗିରି ,୨୮/୦୬ (ପିପିଟି):ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମହେଶ୍ୱର ଚନ୍ଦ୍ର ନାଏକ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ଯୋଜନା ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ସ୍ଵାଗତ ଜଣାଇବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା ଆରମ୍ଭ କରିଥିଲେ। ବିଧାୟକ ଶ୍ରୀ ବାକା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରୁକୋଣ୍ଡା, ମାଥିଲି, ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ମାଲକାନଗିରିର ଆଦିମ ବଣ୍ଡା ଓ ଦିଦାୟୀ ଭଳି ଜନଜାତିଙ୍କ ସାମଗ୍ରୀକ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ । ତେଣୁ ବଣ୍ଡା ଓ ଦିଦାୟୀ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପ୍ରାଥମିକତା ଭିତ୍ତିରେ ସମସ୍ତ ଉନ୍ନୟନ ପ୍ରକଳ୍ପକୁ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ ଏଥି ନିମନ୍ତେ ଦୁଇ ଜନଜାତିଙ୍କ ନିମନ୍ତେ ପ୍ରକଳ୍ପ ସ୍ତରୀୟ କମିଟି ( ପିଏଲସି) ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବର୍ଷା ସମୟ ଆରମ୍ଭ ହୋଇଯାଇଥିବାରୁ ସ୍ଵାଭିମାନ ଅଞ୍ଚଳର ଅପହଞ୍ଚ ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କହିଛନ୍ତି। ସାମୂହିକ ଭାବେ ଏହି ବୈଠକରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଶିକ୍ଷା, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା, ରାସ୍ତା ଓ ଗୃହ, ଗ୍ରାମ୍ୟ ଉନ୍ନୟନ, ବିଜୁଳି, ପାନୀୟ ଜଳ ସମ୍ପର୍କରେ ଆଲୋଚନା କରାଯାଇଛି। ସେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବିଷୟରେ ଅବଗତ କରାଇବା ପାଇଁ କହିଛନ୍ତି। ଯାହା ଫଳରେ ଜିଲ୍ଲାସ୍ତରରେ ଅଟକି ରହୁଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ବିଷୟରେ ବିଧାନ ସଭାରେ ଉତ୍ଥାପନ କରିପାରିବେ ଏବଂ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ଉକ୍ତ ବିଭାଗର କାର୍ଯ୍ୟର ଅଗ୍ରଗତି ନିମନ୍ତେ ପ୍ରଚେଷ୍ଟା କରିବେ।
ସୂଚନା ଥାଉ କି, ବିଧାନସଭା ହାଉସ କମିଟି ଅଧିନରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ସମୀକ୍ଷା ନିମନ୍ତେ ଏହି ବୈଠକ ଆୟୋଜନ କରାଯାଇଥାଏ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଫୁଲ୍ଲ ନନ୍ଦ, ଏ ପି ଡି, ଅର୍ଥ, ମାନସ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀ ଦଳେଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)