ମାଲକାନଗିରି,୦୧/୦୨(ପିପିଟି):ଚାଲାଣଗୁଡା ଠାରେ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଆଜି ଉଦଯାପନ ହୋଇଯାଇଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସଂଧ୍ଯାରେ ମାଉଲୀ ମା’ଙ୍କୁ ନୂଆଗୁଡା ଠାରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ବିଜେ କରାଯାଇ ଚାଲାଣଗୁଡା ଶକ୍ତି ପୀଠରେ ସ୍ଥାପନ କରିଥିଲେ ।ପାରମ୍ପାରିକ ଆଦିବାସୀ ବାଦ୍ଯ ,ଭେରୀ,ଘଣ୍ଟ ଘଣ୍ଟା ନାଦରେ ଗଗନ ପବନ ମୁଖରିତ ହୋଇଥିଲା । ଶିରୁଆମାନେ ହାତରେ ମୟୂର ପୁଛ ଧରି ମା’ଙ୍କ ସମ୍ମୁଖରେ କାଳସୀ ନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳ ବାର ଦିନ ମାନସୀକଧାରୀ ଶ୍ରଦ୍ଧାଳୁମାନେ ମାଉଲୀ ମା’ ସମୀପରେ ଛାଗଳ ଓ କୁକୁଟ ଆଦି ପଶୁପକ୍ଷୀ ବଳୀ ଅର୍ପଣ କରିଥିଲେ । ଆଜି କିଛି କ୍ଷଣ ପାଇଁ ଶକ୍ତି ପୀଠ ସ୍ଥଳଟି ବଳୀ ପ୍ରଦାନ ଯୋଗୁଁ ରକ୍ତ ରଞ୍ଜିତ ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା କରାଯାଇଥିଲା।ଏହି ଯାତ୍ରା ଲାଗି ଆଲିରୁ ମୁଠାର ୪୦ ଖଣ୍ଡ ଗ୍ରାମରୁ ଲାଠି ଏବଂ ଗ୍ରାମଦେବୀଙ୍କ ମିଳନ ହୋଇଥିଲା । ମାରିୱାଡା ମୁଠାକୁ ଏହି ଯାତ୍ର ଲାଗି ସ୍ବତନ୍ତ୍ର ନିମନ୍ତ୍ରିତ କରାଯାଇଥିଲା ।
ଏହି ଯାତ୍ର ଏକ ବର୍ଷ ବ୍ଯବଧାନରେ ଚାଲାଣଗୁଡା ଶକ୍ତି ପୀଠରେ ଆଦିବାସୀ ପୂଜକମାନଙ୍କ ଦ୍ବାରା ପାଳନ କରାଯାଇଥାଏ । ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଓଡିଶା, ଛତିଶ ଗଡ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ଯରୁ ବହୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ତିନି ଦିନ ବ୍ଯାପୀ ଚାଲିଥିବା ଯାତ୍ରା ସ୍ଥଳଟି ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଥିଲା। ପୀଠ ସ୍ଥଳର ଅନତି ଦୂରରେ ଉଠା ଦୋକାନ ବସାଯାଇଥିଲା। ଏହି ଯାତ୍ରାକୁ ପରିଚାଳନା ଏବଂ ଶୃଂଖଳିତ କରିବା ପାଇଁ ଆଲୁରୁ ମୁଠା ମାଉଲୀ ମା’ ପୂଜା କମିଟି ଗଠନ କରାଯାଇଥିଲା । ପୂଜା କମିଟିର ସଭାପତି ପ୍ରଦୀପ କୁମାର ଧାରୁଆ,ଉପ ସଭାପତି ଅରକ୍ଷିତ ନାୟକ, ସଂପାଦକ ଶ୍ଯାମ ପଡିଆମୀ,ବିଶ୍ବନାଥ ଧାରୁଆ, ମୁନା ମାଡକାମୀ, ପଦିଆ କବାସୀ, ପେଦା ଦେବା ଧାରୁଆ,ପୂର୍ବତନ ସରପଞ୍ଚ ଇର୍ମା ପଡିଆମୀ, ଗଙ୍ଗାଧର ଧାରୁଆ,ଭୀମସେନ ପୂଜାରୀ,ଜଗା ସୋଡି,ବଳରାମ ଦୁରୁଆ, ପୂରୋହିତ ବୁଦ୍ରା ଦୁରୁଆ, ସନ୍ତୋଷ ଜେନା,ମିଟୁ ପଣ୍ଡା, ଭୀମଦୁରୁଆଙ୍କ ପ୍ରତ୍ଯେକ୍ଷ ତତ୍ତ୍ବବଧାନରେ ମାଉଲୀ ମା’ଯତ୍ରା ଶାନ୍ତି ଶୃଙ୍ଖଳାରେ ପରିଚାଳନା ହୋଇଥିଲା ।
(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post