ଚାକୁଣ୍ଡାପଲ୍ଲୀ ରେ ଅଗ୍ନିକାଣ୍ଡ ଘଟି ୧୧ ବଖରା ଭସ୍ମୀଭୂତ ।

0 264

ଭଞ୍ଜନଗର,୧୧/୦୩(ପିପିଟି):ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ପଞ୍ଚାୟତର ଚାକୁଣ୍ଡାପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ପ୍ରାୟ ୧୧ ବଖରା ଘର ପୋଡି ଭସ୍ମୀଭୂତ ହୋଇ ଯାଇଛି। ହଠାତ୍ ନିଆଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିବାରୁ ଘର ଭିତରେ ଥିବା ବିଭିନ୍ନ ଆସବାପତ୍ର ବାହାର କରିବା ଅସମ୍ଭବ ହୋଇ ପଡିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଚୁଲିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ ଚେଷ୍ଟା କରିଥିବା ବେଳେ ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଦୀର୍ଘ ସମୟ ପ୍ରଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଗ୍ରାମର ଜେ.ବୁଦ୍ଧିଆ ପ୍ରଧାନ,କୁନି ନାୟକ,ହରି ନାୟକ ଙ୍କ ୨ବଖରା ଲେଖାଏଁ ଏବଂ କୃଷ୍ଣ ପ୍ରଧାନ,ଶିବ ନାଇକ,ଦାମ ନାଇକ,ଆନନ୍ଦ ପ୍ରଧାନଙ୍କ ଗୋଟିଏ ଗୋଟିଏ ବଖରା ସମେତ ସୁବାଷ ନାଇକର ବାହାର ରୋଷେଇ ଘର ଅଗ୍ନିକାଣ୍ଡରେ ଜଳିପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅଗ୍ନିଶମ ଅଧିକାରୀ ସମୀର କୁମାର ବିଶ୍ବାଳ ସୂଚନା ପ୍ରଦାନ କରିଛନ୍ତି। ସମସ୍ତ କ୍ଷତିଗ୍ରସ୍ତ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ବର୍ତ୍ତମାନ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ପାଲ ପ୍ରଦାନ କରିବା ସହ କ୍ଷୟକ୍ଷତି ଆକଳନ କରାଯାଇଛି।ସେହିପରି ମାଲସାହି ଠାରେ ମଧ୍ୟ ପ୍ରଶାନ୍ତ କୁମାର ଦାସଙ୍କର ଏକ ଦୋକାନ ଘର ଅଗ୍ନିକାଣ୍ଡରେ ପୋଡି ନଷ୍ଟ ହୋଇଯାଇଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.