ଘରେ ପହଞ୍ଚିବା ପୂର୍ବରୁ ଆରପାରିକୁ ଚାଲିଗଲେ ଦାଦନ ଶ୍ରମିକ ରଞ୍ଜନ ।

0 235

ବେଲଗୁଣ୍ଠା,୨୫/୧୨(ପିପିଟି): ଘରକୁ ଫେରି ନିଜ ପରିବାର ଲୋକଙ୍କୁ ଭେଟିବାର ବହୁ ଆଶା ନେଇ ଟ୍ରେନ୍ କୁ ଅପେକ୍ଷା କରିଥିବା ଜନୈକ ଦାଦନ ଶ୍ରମିକର ଅପେକ୍ଷା ଅପେକ୍ଷାରେ ହିଁ ରହିଯାଇଛି । ଘରେ ପହଞ୍ଚିବା ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ଜଣେ ଓଡିଆ ଦାଦନ ଶ୍ରମିକ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତ ବାରଟା ଗ୍ରାମର ବାଞ୍ଛାନିଧି ବେହେରାଙ୍କ ଏକମାତ୍ର ପୁଅ ରଞ୍ଜନ ବେହେରା (୪୮) ହାଇଦ୍ରବାଦ୍ ରେ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସେ କିଛିଦିନ ତଳେ ଗାଆଁକୁ ଆସିଥିବା ବେଳେ ମାତ୍ର ୧୫ ଦିନ ତଳେ ହାଇଦ୍ରାବାଦକୁ କାମ କରିବାକୁ ଚାଲିଯାଇଥିଲେ । କିନ୍ତୁ ସେଠାରେ ମାତ୍ର ୧୫ ଦିନ କାମ କରିବା ପରେ ନିଜ ଘରର କୌଣସି ଜରୁରୀ କାମ ପଡ଼ିବାରୁ ସେ ଗତ ୨୩ ତାରିଖରେ ନିଜ ଗାଆଁ ବାରଟାକୁ ବାହାରିଥିଲେ । ସେ ହାଇଦ୍ରାବାଦ୍ ଷ୍ଟେସନରେ ଟ୍ରେନ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ବେହୋସ ହୋଇପଡ଼ିଥିଲେ । ସ୍ଥାନୀୟ ରେଲୱେ ପୋଲିସ୍ ତାଙ୍କୁ ସ୍ଥାନୀୟ ଏକ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲ୍ ରେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ହାଇଦ୍ରାବାଦ୍ ରେ କାମ କାରୁଥିବ ରଞ୍ଜନଙ୍କ ସମ୍ପର୍କୀୟମାନେ ବାରଟା ଗ୍ରାମବାସୀଙ୍କ ଠାରୁ ଆର୍ଥିକ ସହାୟତା ନେଇ ରଞ୍ଜନଙ୍କ ଶବକୁ ଗାଆଁକୁ ପଠାଇଥିଲେ । ରଞ୍ଜନଙ୍କ ଶବ ଗାଆଁରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ସନ୍ଧ୍ୟାରେ ରଞ୍ଜନଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସମାଜସେବୀ ବଳରାମ ସ୍ୱାଇଁ, ପ୍ରଫୁଲ୍ଲ ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ କେ କ୍ରିଷ୍ଣା ମୂର୍ତ୍ତୀ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ରଞ୍ଜନଙ୍କ ଘରେ ପହଞ୍ଚି ରଞ୍ଜନଙ୍କ ଅସହାୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ରଞ୍ଜନଙ୍କ ଘରେ ତାଙ୍କ ବାପା ମାଆ, ପୁଅ, ବିଧବା ସ୍ତ୍ରୀ ରହିଥିବା ବେଳେ ରଞ୍ଜନଙ୍କ ଅକାଳ ବିୟୋଗରେ ସେମାନେ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି । ଆଗକୁ ସେମାନଙ୍କ ପରିବାର କିପରି ପ୍ରତିପୋଷଣ ହୋଇପାରିବ ସେନେଇ ତାଙ୍କ ଅସହାୟ ପରିବାର ସଦସ୍ୟଙ୍କ ମୁଣ୍ଡ ଉପରେ ବଜ୍ର ଛିଡି ପଡ଼ିଛି । ଆଜି ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନଙ୍କ ଶବ ସତ୍କାର ହୋଇଥିବା ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.