ଫୁଲବାଣୀ, ୦୭/୧୧(ପିପିଟି); ଫୁଲବାଣୀ ପୌରପରିଷଦର ସାପ୍ତାହିକ ହାଟ ଓ ଦୈନିକ ପନି-ପରିବା ବିକ୍ରି କରିବା ପାଇଁ ଆସୁଥିବା ଗ୍ରାମାଞ୍ଚଳ ଚାଷୀଙ୍କ ଠାରୁ ପୌରପରିଷଦର ଟିକସ ନାମରେ ଲୁଟ ଚାଲିଛି । ପୌରପରିଷଦ ନିଜର ଏକ ସ୍ୱତନ୍ତ୍ର ଦର ତାଲିକା ଧାର୍ଯ୍ୟ କରି ଟେଣ୍ଡର ମାଧ୍ୟମରେ ଗୁଟାଦାର ଧାର୍ଯ୍ୟ କରୁଥିଲେ । ବର୍ତ୍ତମାନ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଟେଣ୍ଡର ନ କରି ନିଜର କର୍ମଚାରୀଙ୍କ ଦ୍ଵାରା ଅଲିଖିତ ଟିକସ ଆଦାୟ କରୁଛନ୍ତି । ଏହି ଟିକସ ଆଦାୟର କୌଣସି ତାଳ ମେଳ ରହୁନାହିଁ । ପୌରପରିଷଦର ଧାର୍ଯ୍ୟ ମୂଲ୍ୟ ଠାରୁ ଦୁଇ ତିନି ଗୁଣ ଅଧିକା ବୋଝ ଓ ଭୁଗାପିଛା ଆଦାୟ କରାଯାଉଥିବା ବେଳେ ଏହା ପୁଣି ବିନା ରସିଦରେ ଯଦି କେହି ରସିଦ ପାଇଁ ଅଡି ବସନ୍ତି ତେବେ ତାକୁ ମୂଲ୍ୟ ତାରିଖ ଓ ଦସ୍ତଖତ ନଥିବା ଏକ କୂପନ ଧରେଇଦିଆ ଯାଉଛି । ସହରର ବ୍ୟବସାୟୀଙ୍କ ଠାରୁ ଏକ ପ୍ରକାର ଆଦାୟ କରାଯାଉଥିବା ବେଳେ ଗ୍ରାମଞ୍ଚଳରୁ ଆସୁଥିବା ଚାଷୀଙ୍କ ଠାରୁ ଶୋଷଣ କରାଯାଉଛି । ଖୋଦ ଜିଲ୍ଲାପାଳ ବର୍ତ୍ତମାନ ପୌରପରିଷଦର ପ୍ରଶାସିକା ଥିବା ବେଳେ ଏହି ଭଳି ଲୁଟ ତରାଜରେ କୌଣସି ସୁଧାର ଆସୁନାହିଁ ଏନେଇ ପୌର ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି । ଗ୍ରାମଞ୍ଚଳରୁ ଶୋସିତ ହେଉଥିବା ଚାଷୀ ଅଗାମୀ ଦିନରେ ଏନେଇ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣା ପଡ଼ିଛି । ପୌରପରିଷଦ ମନ ଇଚ୍ଛା ଅଲିଖିତ ଟିକସ ଆଦାୟ କରୁଥିବା ବେଳେ ଏହି ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯଥା ପରିସ୍ରାଗାର , ପିଇବା ପାଣି ଓ ଛାଇ ଓ କାଦୁଅରୁ ବଞ୍ଚିବା ପାଇଁ ଭେଣ୍ଡିଙ୍ଗ ଯୋନର ବ୍ୟବସ୍ତା ମଧ୍ୟ କରୁନାହାନ୍ତି । ଏହିପରିକି ପୂର୍ବର ଭେଣ୍ଡିଙ୍ଗ ଯୋନ ଗୁଡିକୁ ଦଶ ବର୍ଷ ହେବ ଭାଙ୍ଗି ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପିଣ୍ଡି ଟିଏ ମଧ୍ୟ କରାଯାଇନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମାଞ୍ଚଳ ଚାଷୀ ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )