ଭଞ୍ଜନଗର,୧୭/୦୫(ପିପିଟି); କରୋନା ଭୟରେ ସମ୍ପର୍କ ଆଜି ତୁଚ୍ଛ ହୋଇଯାଇଛି।ସମସ୍ତେ ନିଜେ ନିଜକୁ ସୁରକ୍ଷିତ ରଖିବା ପାଇଁ ଲାଗିପଡିଛନ୍ତି। ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା। ଜଣେ ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିଥିଲା। ଖବର ପାଇ ମୁଜାଗଡ଼ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମିଶି କଲେ ଶବଦାହ।ସୂଚନା ମୁତାବକ ମୁଜାଗଡ଼ ଗ୍ରାମର ଶଶୀ ପ୍ରଧାନ ଘରେ ଏକାକୀ ରହୁଥିଲେ।ଗତ ତିନିଦିନ ହେଲା ତାଙ୍କୁ ଜ୍ୱର ହେବାରୁ ଚିକିତ୍ସା ପାଇଁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବାରୁ ମେଡ଼ିକାଲ କର୍ମଚାରୀ ମାନେ ମହାପ୍ରୟାଣ ଗାଡି ଯୋଗେ ଶବକୁ ଆଣି ଘରେ ରଖି ଚାଲି ଯାଇଥିଲେ।କରୋନା ଭୟରେ ଶବଦାହ କରିବାକୁ ସାହି ପଡୋଶୀ କବାଟ ତାଟି ବନ୍ଦ କରି ଦେଇଥିଲେ। ସହଯୋଗ ପାଇଁ କେହି ମଧ୍ୟ ଆସି ନଥିଲେ। ଶେଷରେ ସରପଞ୍ଚ ଖବର ପାଇବା ପରେ ତାଙ୍କର କିଛି ସହଯୋଗୀ ମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ପିପିଇ କିଟ ପିନ୍ଧି ଶବକୁ ଘରୁ ବାହାର କରି ଗ୍ରାମ ସ୍ମଶାନକୁ ନେଇ ସେଠାରେ ମୃତ ଶଶି ର ଶବ ସତ୍କାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )