ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ରାସ୍ତାରୁ ଉଠାଗଲା ହାତ ଭଙ୍ଗା ମେଟାଲ ।

0 251

ମାଲକାନଗିରି,୦୯/୦୮(ପିପିଟି): ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗମନାଗମନ ଲାଗି ରାସ୍ତା ନିର୍ମାଣ କରାଯାଉଥିବା ବେଳେ କିଛି ଅସାଧୁ ଠିକାଦାରମାନେ ଯେନ ତେନ ପ୍ରକାରେ ରାସ୍ତା ନିର୍ମାଣ କରି ଅର୍ଥକୁ ଚଳୁ କରିଦେବାକୁ ଯୋଜନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ଠିକାଦରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାଗୁଡିକ ନିମ୍ନମାନର ହେବା ସହ ଅଳ୍ପଦିନରେ ନଷ୍ଟ ହୋଇଯାଉଥିବା ଅନେକ ପ୍ରମାଣ ରହିଛି। ସେହି ପରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନସ୍ଥ ପୋଟ୍ରେଲ ଗ୍ରାମ ପଞ୍ଚାୟତର ପରମିଳାପଦର ଛକ ଠାରୁ ଏମ୍ ଭି- ୫୨ ଗ୍ରାମ ଦେଇ ସୋରୁଲକୋଣ୍ଡା ପର୍ଯ୍ୟନ୍ତ ଯାଇଥିବା ୩.୯୭ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ୧ କୋଟି ୭୬ ଲକ୍ଷ ୪୩ ହଜାର ବ୍ୟୟ ଅଟକଳରେ ତା ୨/୮/ ୨୦୨୨ରେ ମାଲକାନଗିରି ଆରଡି ବିଭାଗ ଜନୈକ ଠିକାଦାରଙ୍କୁ କରିବା ପାଇଁ କାର୍ଯ୍ୟଦେଶ ଦିଆଯାଇଥିଲା ବେଳେ ଉକ୍ତ ଠିକାଦାର କାମ ଆରମ୍ଭ କରିବା ପାଇଁ ଉକ୍ତ ରାସ୍ତାରେ ହାତ ଭଙ୍ଗା ମେଟାଲ ପକାଇ ରୋଲର ସାହାଯ୍ୟରେ ମେଟାଲଗୁଡିକୁ ସମତୁଲ କରୁଥିଲେ । ତେବେ କ୍ରସର ମେଟାଲ ପରିବର୍ତ୍ତେ ହାତ ଭଙ୍ଗା ମେଟାଲରେ ଉକ୍ତ ରାସ୍ତା କାମ ହେଉଥିବା ବେଳେ ରୋଲର ଦ୍ବାରା ସମତୁଳ ସମୟରେ ମେଟାଲଗୁଡିକ ଗୁଣ୍ଡହୋଇ ଯାଉଥିବା ଏମ୍ ଭି – ୫୨ ଗ୍ରାମର ଲୋକମାନେ ଦେଖି ବିରୋଧ କରିଥିଲେ । ସରକାରଙ୍କ ନିୟମ ଅନୁସାରେ ରାସ୍ତା କାମରେ ସରକାରୀ ସ୍ବୀକୃତିପ୍ରାପ୍ତ କ୍ରସରରୁ ମେଟାଲ ଆଣି ରାସ୍ତା କାମରେ ବ୍ୟବହାର କରାଯିବା କଥା । କିନ୍ତୁ ଉକ୍ତ ରାସ୍ତାରେ କ୍ରସର ମେଟାଲ ପରିବର୍ତ୍ତେ ଶ୍ରମିକଙ୍କ ଦ୍ଵାରା ଭଙ୍ଗା ହୋଇଥିବା ନିମ୍ନମାନର ମେଟାଲରେ ବ୍ଯବହୃତ କରାଯାଉଥିଲା । ଫଳରେ ଗାଁ ଲୋକେ କାମ ବନ୍ଦକରିବା ସହ ଏହାର ପ୍ରତିବାଦ କରିଥିଲେ । ଏନେଇ ଗ୍ରାମବାସୀ ମିଶି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ଯୋଗୁଁ ରାସ୍ତାରେ ପଡିଥିବା ହାତ ବାଡ଼ିଆ ମେଟାଲକୁ ଉଠାଇବାକୁ ଜନୈକ ଠିକାଦାର ବାଧ୍ଯ ହୋଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଯେ , ରାସ୍ତା କାମରେ ପ୍ରଥମରୁ ହିଁ ଅନିୟମିତତା ହୋଇଆସୁଛି । ଏବେ ମଧ୍ୟ ରାସ୍ତା କାମ ପାଇଁ ଆସିଥିବା କ୍ରସର ମେଟାଲରେ କ୍ରସର ଗୁଣ୍ଡ ବହୁମାତ୍ରାରେ ଥିବା ଗ୍ରାମବାସୀ ନିତିଶ ବିଶ୍ଵାସ , ଯୋଗେନ୍ଦ୍ର ସେନ,ପ୍ରେମାନନ୍ଦ ମଣ୍ଡଲ,ଅରବେନ୍ଦୁ ସେନ, ଦେବେନ୍ଦ୍ର ସେନ, ଇନ୍ଦ୍ର ପଡିଆମିଙ୍କ ସମେତ ବହୁ ଗ୍ରାମବାସି ଅଭିଯୋଗ କରିବା ସହ ଆଗାମୀ ଦିନରେ ଯଦି ରାସ୍ତା କାମରେ ଅନିୟମିତତା ହୁଏ , ତେବେ ଘୋର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାଣିକ କୁମ୍ଭାରଙ୍କୁ ଯୋଗେ ଯୋଗଯୋଗ କରିବାରୁ ସେ କହିଛନ୍ତି ଯେ,ଅଭିଯୋଗ ଅନୁଯାୟୀ ସେ ନିଜେ କାର୍ଯ୍ୟ ସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ତଦନ୍ତ କରି ଠିକାଦରଙ୍କୁ ତାଗିଦ କରିବା ସହ ଉକ୍ତ ମେଟାଲକୁ ବ୍ୟବହାର ନ କରି କ୍ରସର ମେଣ୍ଟାଲ ଦ୍ଵାରା କାମ କରିବାକୁ ନିର୍ଦ୍ଦେଶ ଦେଇଥବା ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.