ବ୍ରହ୍ମପୁର,୩୦/୦୭(ପିପିଟି): ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାଶଙ୍କ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନ ପ୍ରାୟ ୬ଟା ୨୦ସମୟରେ ଟିକିନା ନିଜର ପାଞ୍ଚ ବର୍ଷର ପୁଅକୁ ସାଥିରେ ଆଣି କୌଣସି ଅଭିଯୋଗ ନେଇ ଗୋପାଳପୁର ଥାନାକୁ ଯାଇଥିଲେ । କିଛି ସମୟ ଥାନା ପରିସରରେ ନିଜେ ନିଜେ କଥା ହୋଇ ବୁଲିବା ସହ ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିର ପିଣ୍ଡାରେ ବସିଥିଲେ । ତାଙ୍କ ସ୍ବାମୀଙ୍କୁ ଡାକିବା ପାଇଁ ବାରମ୍ବାର କହୁଥିଲେ । କିଛି ସମୟପରେ ମହିଳା ଜଣକ ହଠାତ ଗୋଟିଏ ବୋତଲ ନିଜ ଅଣ୍ଟା ଭିତରୁ ବାହାରି କରି ସେଥିରେ ଥିବା କିଛି ପାନୀୟ ଜଳ ପିଇଥିଲେ । ପାନୀୟ ଜଳ ଟା ରଙ୍ଗନୀଳ ରଙ୍ଗ ଭଳି ଦେଖାଯିବାରୁ ସେଠାରେ ଉପସ୍ଥିତ ଥିବା ଏଏସଆଇ ପୁଷ୍ପା ମଲ୍ଲିକ କଣ ପିଉଛ ବୋଲି ପଚାରିବାରୁ ସେ ମୁଁ ବିଷ ପିଇ ଦେଇଛି ବୋଲି ତାଙ୍କୁ କହିଥିଲେ । ଏତିକି ବେଳକୁ ଟିକିନା ନିଜେ ଆଣିଥିବା କୀଟନାଶକ(କ୍ବିକ ଫସ)କୁ ଏକ ଠିପି ପିଇ ସାରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ତୁରନ୍ତ ଟିକିନାଙ୍କ ହାତରୁ କୀଟନାଶକକୁ ଛଡାଇ ଥିଲେ। କୀଟନାଶକ କିଛି ଅଂଶ ପିଇ ଥୁବାରୁ ସେ ବାନ୍ତି କରିଥିଲେ । ପରେ ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଏବଂ ଅନ୍ୟ କର୍ମଚାରୀମାନେ ଟିକିନାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତିକୁ ନେଇଯାଇଥିଲେ । ଏଠାକୁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏବଂ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ପହଞ୍ଚି ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ କଣ ସେ ନେଇ ପଚରାଉଚରା କରି ତଦନ୍ତ ଜାରି ରଖିଥିଲେ । ତେବେ ବଡ଼ ମେଡ଼ିକାଲରେ ଟିକିନା ଚିକିତ୍ସିତ ଅବସ୍ଥାରେ ତାଙ୍କ ସ୍ୱାମୀ ତାଙ୍କୁ ପଚରାଉଚାରା କରୁନଥିବାରୁ ଶେଷରେ ସେ କିଛି ଉପାୟ ନ ପାଇ ଏଭଳି ପଦକ୍ଷେପ ଗ୍ରହଣ କଲେ ବୋଲି ଗଣମାଧ୍ୟମପ୍ରତିନିଧିଙ୍କୁ କହିଥିଲେ । କିଛି ସମୟ ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ରାତ୍ର ପ୍ରାୟ ୧୨:୪୫ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଗତକିଛି ମାସ ହେଲା ଟିକିନା ଏବଂ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ପାରିବାରିକ ଝଗଡା ଲାଗି ରହିଥିଲା । ଉକ୍ତ ମହିଳା ଜଣକ ବାକିବକର ହୋଇ ବହୁ ଦିନ ହେଲା ବାହାରକୁ ଚାଲିଯାଥିଲେ । ପ୍ରାୟ ୮ଦିନ ହେଲା ଗ୍ରାମକୁ ଫେରିଥିଲେ କିନ୍ତୁ ସ୍ବାମୀ ସହ ନ ରହି ନିଜ ଘରେ ରହୁଥିଲେ । ସ୍ବାମୀ ଭଡ଼ା ଘରେ ରହୁଥିବା ଜଣାପଡିଛି। ଏହି ଘଟଣାକୁ ନେଇ ପୁଲିସ ନିଜ ପକ୍ଷରୁ ୧୪୫ /୨୨ରେ ଏକ ମାମଲା ରୁଜୁ ସହ କିଟନାଶକ ଡବାକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆଜିକୁ ୮ମାସ ହେବ ଝିଅ ଟିକିନାଙ୍କୁ ତାଙ୍କ ସ୍ୱାମୀ ସୁକାନ୍ତ ଦାସଙ୍କ ସମେତ ଶାଶୂଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଉଥିଲେ ବୋଲି ମୃତ ଟିକିନାଙ୍କ ମା ସାଇବାଣୀ ଦାସ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୧୪୬/୨୨ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ସ୍ୱାମୀ ସୁକାନ୍ତ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )