କୋଦଳା,୧୯/୦୯(ପିପିଟି) : ଗଞ୍ଜାମ ଜିଲ୍ଲା କୋଦଳା ଖଦାଳ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ସଦସ୍ୟଙ୍କ ଆକ୍ରମଣରେ ଜଣେ ଯୁବକର ମୁଣ୍ଡ ଗଡ଼ିଥିବା ବେଳେ ଅନ୍ୟ ଜଣେ ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସାହିବାସିନ୍ଦା ଆକ୍ରମଣକାରିଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଉତ୍ୟକ୍ତ ସାହିବାସିନ୍ଦା ପୋଲିସ ସହିତ ଯୁକ୍ତିତର୍କ ସହିତ ଟଣାଓଟରା କରିଥିଲେ । ଏହାରି ଭିତରେ ଉତ୍ୟକ୍ତ ଖଦାଳସାହି ବାସିନ୍ଦା ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଆକ୍ରମଣ କାରିଙ୍କୁ ଆମକୁ ଦେଇଦିଅ ବୋଲି ଯୁକ୍ତି କରିଥିଲେ, କୌଣସି ପ୍ରକାରେ ଆକ୍ରମଣ କାରିଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ ପୋଲିସ ।ସଙ୍ଗେ ସଙ୍ଗେ ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ପରେ ପରେ ମୃତକଙ୍କ ପରିବାର ସହିତ ସାହିବାସିନ୍ଦା କୋଦଳା ମୁଖ୍ୟ ରାସ୍ତା ବସଷ୍ଟାଣ୍ଡ କଚେରୀ ରୋଡ କୁ ଅବରୋଧ କରିଥିଲେ ।ପୋଲିସ ର ହସ୍ତକ୍ଷପ ପରେ ପରିବାର ସଦସ୍ୟ ରାସ୍ତାରୁ ଉଠିଥିଲେ ଏବଂ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିଲା । ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ମୃତକଙ୍କ ସାହି ବାସିନ୍ଦାଙ୍କ କହିବା ପ୍ରକାରେ ବହୁବର୍ଷ ତଳେ ମୃତ ଗଣପତି ଦାସଙ୍କୁ ଖଡଦାଳ ସାହିର କିଛି ବ୍ୟକ୍ତି ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିଲେ । ସେହିଦିନ ଠାରୁ ଗଣପତିଙ୍କ ପରିବାର ନିଜ ସାହିର ଘରଦ୍ୱାର ଛାଡି ରେଞ୍ଜର ବଙ୍ଗଳା ରୋଡ଼ ରେ ରହୁଥିଲେ ।ସେହିଦିନ ଠାରୁ ସାହିବାସିନ୍ଦା ସହିତ କୌଣସି ସମ୍ପର୍କ ନ ଥିଲା । ଏହାରି ଭିତରେ କେବେ କିଛି ଗଣ୍ଡଗୋଳ ହୋଇ ନ ଥିବା କହିଥିଲେ ଏବଂ ଯିଏ ଯାହା ସ୍ଥାନ ରେ ନିରାପଦରେ ଥିଲେ ବୋଲି ପ୍ରକାଶ କରିଥିଲେ । ଆଜି ରବିବାର ସକାଳ ସାତଘଣ୍ଟ ତିରିଶ ମିନଟ ସମୟରେ ନିଜ ମୋଟର ସାଇକଲ ଯୋଗେ ଉପେନ୍ଦ୍ର ନାହାକଙ୍କ ପୁତ୍ର କାଳୁ ନାହାକ (୩୫) ଏବଂ ଜଣେ ସାଥି ସାଗର ଦାସ ଘର ପାଇଁ ମାଂସ ଆଣିବା ନିମନ୍ତେ ରେଞ୍ଜର ବଙ୍ଗଳା ଯାଇ ଫେରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାଇ ପ୍ରାୟ ୯ଜଣ ସଦସ୍ୟ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ପ୍ରଥମେ ଆଖିକୁ ମରିଚ ଗୁଣ୍ଡ ଫିଙ୍ଗି ଦେଇଥିଲେ । ଫଳରେ ଭାରସାମ୍ୟ ହରାଇ ମୋଟରସାଇକଲରୁ ଛିଟିକି କାଳୁ ତଳେ ପଡିଯିବାରୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ ପରେ ପରେ କାଳୁ ନାହାକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସାଗର ଦୌଡ଼ି ପଳାଇଥିଲା । ଘଟଣା ସ୍ଥଳରେ ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ସେଠି, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଉପସ୍ଥିତ ଥିବା ବେଳେ ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ ଅଛନ୍ତି ।କୋଦଳା ଥାନା ଅଧିକାରୀଙ୍କ କହିବା ପ୍ରକାରେ ଉକ୍ତ ଘଟଣା ରେ ତିନିଗୋଟି ମାମଲା ରୁଜୁ ହୋଇଛି ।
(ରିପୋର୍ଟ – ସୂର୍ଯ୍ଯ ନାରାୟଣ ବଡୁ। )