ଭଞ୍ଜନଗର,୨୭/୦୨(ପିପିଟି); ବିଜ୍ଞାନ ଯୁଗରେ ମଣିଷ ନୂଆନୂଆ ଜ୍ଞାନ କୌଶଳ କୁ ନେଇ ଅସାଧ୍ୟ କୁ ସାଧନ କରିବାରେ ସକ୍ଷମ ହେଉଥିବା ବେଳେ ଆଜିବି ସମାଜର ଅଧିକାଂଶ ସ୍ଥାନରେ ଅନ୍ଧ ବିଶ୍ୱାସ,ଛୁଆଁ ଅଛୁଆଁ, କୁସଂସ୍କାର ଓ ଗୁଣି ଗାରେଡି ଭଳି ଘଟଣା ସାମ୍ନାକୁ ଆସୁଛି।ଯାହା ଫଳରେ ପ୍ରତିଦିନ ଏହାର ପ୍ରଭାବରେ ବହୁ ନିରୀହ ଲୋକ ଗ୍ରାମରୁ ବାସନ୍ଦ ହୋଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।ଗତବର୍ଷ ଭଞ୍ଜନଗର ବ୍ଲକ ଗାଲେରୀ ପଞ୍ଚାୟତ ବିଲୁଆ ପଡ଼ା ଗ୍ରାମ ହରିଜନ ସାହିର ଯୋଗେନ୍ଦ୍ର ନାଇକକୁ ଗ୍ରାମର ସଭାପତି ଓ ତାର ସମ୍ପର୍କୀୟମାନେ ମିଶି କୌଣସି କାରଣରୁ ଆକ୍ରମଣ କରିଥିଲେ।ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ୨୭.୮.୨୦୨୦ ତାରିଖରେ ସଭାପତି ଗୁଣିଗାରେଡି ସନ୍ଦେହରେ ଗ୍ରାମରେ ଗୁଣିଆ ସାହାଯ୍ୟରେ ଖଟ ବୁଲାଇ ଥିଲେ।ଖଟ ଯାଇ ଯୋଗେନ୍ଦ୍ର ନାଇକ, ରବୀନ୍ଦ୍ର ନାଇକ, ସୁରସେନ ନାଇକ, ମମତା ବିଷୋୟୀ, ସୁବସିନୀ ଗୌଡ଼ଙ୍କ ଘର ନିକଟରେ ଅଟକିଥିବା ଦର୍ଶାଇ ଏସମସ୍ତଙ୍କୁ ଗ୍ରାମ ମଝି ଦାଣ୍ଡକୁ ଡ଼ାକି ବିଭିନ୍ନ ଧମକ ଚମକ ଦେବା ସହ ଅଖାଦ୍ୟ ଖୁଆଇଥିବା ଅଭିଯୋଗ ହୋଇଛି। ଏଥିସହ ଏମାନଙ୍କୁ ଗ୍ରାମରୁ ବାସନ୍ଦ କରି ନିଆଁ ପାଣି ବନ୍ଦ କରାଯାଇଛି। ଯାହାଫଳରେ ସମସ୍ତେ ଗ୍ରାମ ବାହାରେ ନିଜ ସମର୍କୀୟ ମାନଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏ ସମ୍ପର୍କରେ ତାରସିଙ୍ଗି ଥାନା ଠାରୁ ଆରମ୍ଭ କରି ସେମାନେ ଏସ.ପି ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଜଣାଇଛନ୍ତି। ହେଲେ ଏ ସମ୍ପର୍କରେ ତାରସିଙ୍ଗି ଥାନା ଅଧିକାରୀଙ୍କୁ ପଚାରିବାରେ ବିଲୁଆ ପଡ଼ା ଗ୍ରାମରେ ସେଭଳି କୌଣସି ଘଟଣା ଘଟି ନଥିବା ସେ କହିଛନ୍ତି। ବାସନ୍ଦ ହୋଇଥିବା ଏହି ୫ଜଣ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇଛନ୍ତି। ଉପଜିଲ୍ଲାପାଳ ଗ୍ରାମକୁ ଯାଇ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )