ଗୁଣପୁର,୨୭/୦୯(ପିପିଟି):ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ଗୁଣପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ଓ ଆଇଏଫଟିୟୁ ପକ୍ଷରୁ ମିଳିତ ଭାବେ ବନ୍ଦ ପାଳନ କରାଯାଇଥିଲା । ତିନି କଳା କୃଷି ଆଇନର ପ୍ରତ୍ୟାହାର, ଜନବିରୋଧୀ ବିଦ୍ୟୁତ୍ ବିଲ-୨୦୨୦ର ପ୍ରତ୍ୟାହାର, ସବୁ ଫସଲର ଏମ ଏସ ପି ପାଇଁ ଆଇନ ପ୍ରଣୟନ, ଶ୍ରମିକ ବିରୋଧୀ ଚାରି ଶ୍ରମକୋଡର ଉଚ୍ଛେଦ ଏବଂ ପେଟ୍ରୋଲ ଡିଜେଲ ତଥା ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଆଦି ଦାବିରେ ଏହି ବନ୍ଦ ପାଳିତ ହୋଇଥିଲା । ଦିଲ୍ଲୀ ସୀମାନ୍ତରେ ଚାଷୀ ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଦିର୍ଘ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଏବଂ ଇତି ମଧ୍ୟରେ ଆଠ ଶହରୁ ଉର୍ଦ୍ଧ୍ବ ଚାଷୀ ଶହୀଦ ହୋଇଥିବା ବେଳେ ମୋଦି ସରକାର ସେମାନଙ୍କ ଦାବିକୁ ପ୍ରତ୍ୟାହାର ନକରିବା ଦୁଃଭାଗ୍ୟଜନକ ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ସହର ସମେତ ବ୍ଳକର ବିଭିନ୍ନ ଗାଁର ଶତାଧିକ ଲୋକ ଯୋଗଦେଇଥିଲେ । ବନ୍ଦ ଫଳରେ ସ୍ଥାନୀୟ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ରହିଥିଲା । ଏହି ଅବସରରେ ଉପରୋକ୍ତ ସଂଗଠନର ନେତାମାନେ ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ମୋଦି ସରକାରଙ୍କ ଜନବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ସମ୍ପର୍କରେ ସଚେତନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ
ଏଆଇକେଏମଏସ୍ ଜିଲ୍ଲା କମିଟି ସଭ୍ୟ ଅର୍ଜନ ଗମାଙ୍ଗ, ବୁଦ୍ଧଦେବ ଶବର, ଆଇଏଫଟିୟୁ ଜିଲ୍ଲା ଆବାହକ କେ. ଶ୍ରୀନିବାସ ରାଓ, ମହିଳା ନେତ୍ରୀ ତୁଳସୀ ଶବ୍ଦର ଓ ପ୍ରଭାତୀ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ ।
Prev Post