ବ୍ରହ୍ମପୁର,୨୨/୧୧(ପିପିଟି): ଉତ୍ତରପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ଟାଟା ସୋମକୁ ଆଙ୍କୁଶପୁର ଠାରେ କାବୁ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶର ବନାରସକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତ, ଗୀତାଞ୍ଜଳୀ ସାହୁ ଓ ବିଭାଗୀୟ କର୍ମୀମାନେ ଆଙ୍କୁଶପୁର ନିକଟରେ ଛପି ରହି ମିଳିଥିବା ସୂଚନା ପ୍ରକାରେ ଗଞ୍ଜେଇ ଭର୍ତ୍ତି ଥିବା ଏକ ଟାଟାସୋମ ବୋଲେର ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ ବୋଲର ଗାଡ଼ିରୁ ୮୦ କିଲୋ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ସମେତ ସଂପୃକ୍ତ ୨ଜଣ ଗଞ୍ଜେଇ ମାଫିଆଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ଚାନ୍ଦ ମହମ୍ମଦ ଏବଂ ମହମ୍ମଦ ଅକିଲ ।ସେମାନଙ୍କୁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗୋଟିଏ ଧଳାରଙ୍ଗର (ଏମପି୦୪ଟିବି୧୬୧୦)ନଂ ବିଶିଷ୍ଟ ଟାଟା ସୋମ ବୋଲରରେ ଉତ୍ତରପ୍ରଦେଶର ବନାରସକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବା ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚିଥିଲା । ସେହିକ୍ରମେ ଅବକାରୀ ଗୁଇନ୍ଦା ବିଭାଗୀୟ କର୍ମଚାରୀମାନେ ଆଙ୍କୁଶପୁର ଠାରେ ଛପି ରହି ବିଭିନ୍ନ ଗାଡ଼ିକୁ ସନ୍ଦେହରେ ଯାଞ୍ଚ କରିବାର କିଛି ସମୟପରେ ଦ୍ରୁତ ଗତିରେ ଧଳା ରଙ୍ଗର ଗୋଟିଏ ଟାଟା ସୋମ ଆସିଥିଲା । ଦ୍ରୁତ ଗତିରେ ଟାଟା ସୋମ ଆସିବା ଯୋଗୁଁ ବିଭାଗୀୟ କର୍ମଚାରୀମାନେ ସନ୍ଧେହ କରି ଗାଡ଼ି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ ବୋଲର ଗାଡ଼ିର ପଛପଟେ ପୁଲିସର ଲୋଗୋ ଲାଗିଥିବା ବିଭାଗୀୟ କର୍ମଚାରୀମାନେ ଦେଖିଲେ । ପୁଲିସର ଲୋଗୋକୁ ଦେଖି ବିଭାଗୀୟ କର୍ମଚାରୀଙ୍କ ଆହୁରୀ ସନ୍ଧେହ ଉପୁଜିଥିଲା । ସନ୍ଧେହ ଉପୁଜିଥିଲା ସତ କିନ୍ତୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଅଛି ଜାଣିବା ବହୁତ କଷ୍ଟକର ହୋଇଥିଲା । ପରେ ଅବକାରୀ ଗୁଇନ୍ଦା ବିଭାଗ ଉକ୍ତ କାରର ସିକ୍ରେଟ ଚାମ୍ବର ସମେତ ଅନ୍ୟାନ୍ୟ ଜାଗାରୁ ଗଞ୍ଜେଇ ବାହାରିଥିଲା । ପରେ ବିଭାଗୀୟ କର୍ମଚାରୀମାନେ ଉକ୍ତ ବୋଲେର ପାର୍ଟ ଖୋଲାଖୋଲି କରି ବିଭିନ୍ନ ସିକ୍ରେଟ୍ ଚାମ୍ବରରୁ ମୋଟ ୮୦ କିଲୋ ଗଞ୍ଜେଇ ସହ ଉକ୍ତ ବୋଲେରକୁ ଜବତ କରିଥିଲେ । ଜବତ ହୋଇଥିବା ବୋଲରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଏବଂ ଜବତ ଗଞ୍ଜେଇର ମୂଲ୍ୟ ୮ ଲକ୍ଷ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇ ଗୁଡିକ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶର ବନାରସକୁ ଚାଲାଣ ହୋଇଥାନ୍ତା ବୋଲି କହିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।
(ରିପୋର୍ଟ- ଆରତ କୁମାର ହୋତା। )