ଭଞ୍ଜନଗର,୧୭/୦୧(ପିପିଟି): ନୂଆ ମୋଟର ଯାନ ଆଇନ ସଂର୍ପକରେ ଲୋକ ମାନଙ୍କୁ ଅବଗତ କରାଇବା ସହ ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ଓ ବସ୍ ମାଲିକ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଘରୋଇ ବସ୍ ମାଲିକ ସଂଘ ଆନୁକୂଲ୍ୟରେ ବସଷ୍ଟାଣ୍ଡ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ଉଦ୍ ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ବିପ୍ରଚରଣ ବାରିକ,ଉପ ସଭାପତି ସୁବାଷ ଚନ୍ଦ୍ର ଦିହୁଡି,ଆର୍ଟିଓ ଶୁଭେନ୍ଦୁ ରାୟ, ଏମ୍ଭିଆଇ ଭାଗୀରଥୀ ନାୟକ, ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଗାଡି ଚଲାଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ସହ ପରିବାରର ସମସ୍ତ ସଦସ୍ୟ ଏହାକୁ ପାଳନ କରିବା ନିମନ୍ତେ ପ୍ରରର୍ତ୍ତାଇବାକୁ ଅତିଥି ମାନେ କହିଥିଲେ। ସେହିପରି ମଦ୍ୟପାନ କରି ଗାଡି ଚଲାଇଲେ ଜୋରିମାନା ବଦଳରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରି ନୂତନ ଆଇନ ପ୍ରଣୟନ କରିଛନ୍ତି। ତେଣୁ ଅର୍ଥ ଦଣ୍ଡ ଅପେକ୍ଷା ଆଇନ ଗତ କାର୍ଯ୍ୟାନୁଷ୍ଠାନକୁ ଅଧିକ ଗୁରୁତ୍ୱ ଦିଆଯାଇଛି।କାର୍ଯ୍ୟକ୍ରମରେ ଶୂଳପାଣୀ ଶତପଥୀ ସଂଯୋଜନା କରିଥିଲେ। ଏଥିରେ ବହୁ ଗାଡିଚାଳକ, କର୍ମଚାରୀ ଓ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )