ଗର୍ବ ଓ ଗୌରବର ମାଟି ବୋଲଗଡ଼ ।

0 353

ବୋଲଗଡ଼,୨୩/୦୯(ପିପିଟି): ବୋଲଗଡ଼ ଅଞ୍ଚଳ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳ ମଧ୍ୟରୁ ଅନ୍ୟତମ ଅଟେ। ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନୈତିକ ଦୃଷ୍ୟପଟରେ ଏକ ପ୍ରସିଦ୍ଧ ଅଞ୍ଚଳ ଅଟେ। ୧୫୧୫ ମସିହାରେ ଶ୍ରୀଚୈତନ୍ୟ ମହାପ୍ରଭୁ ପୁରୀ ରୁ ବୃନ୍ଦାବନ ଯାତ୍ରା ଅବସରରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ଠାରେ କିଛିଦିନ ଅବସ୍ଥାନ କରିଥିଲେ। ଯେଉଁ ସାନପଦର ଗ୍ରାମରେ ପରବର୍ତ୍ତି ସମୟରେ ମଥୁରା ମଙ୍ଗଳର ଲେଖକ କବି ଭକ୍ତ ଚରଣ ଦାସ, ଗୋପୀଭାଷାର ଲେଖକ କବି ଦନେଇ ଦାସ,ବସନ୍ତ ରାସ ଓ ଶରତ ରାସର ଲେଖକ କବି ପଣ୍ଡିତ ଶ୍ରୀଚନ୍ଦନ ଓ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟ ଜନ୍ମ ଗ୍ରହଣ କରିଥିଲେ।

ସେହିପରି ଏହି ଅଞ୍ଚଳରେ ପ୍ରାଚୀନ କବି ମାନଙ୍କର କବିକୃତି ସାରା ଓଡିଶାର ପୁରପଲ୍ଲୀରେ ଆଦୃତ ହୋଇପାରିଛି। ଯଥା ଅନଙ୍ଗ ନରେନ୍ଦ୍ରଙ୍କର ଶ୍ରୀରାମ ଲୀଳା, ସାରଙ୍ଗ କବିରଙ୍କର କଳିଯୁଗ ପୁରାଣ, ନିତ୍ୟାନନ୍ଦ ହୋତାଙ୍କର ଶିବ କଳ୍ପ ତରୁ ଓ ବିଷ୍ଣୁ କଳ୍ପତରୁ, ନରହରିଙ୍କର ନରପତି ଜୟଚର୍ୟା, କରୁଣା କର ପଟ୍ଟନାୟକଙ୍କର କୃଷ୍ଣ ରସାମୃତ, ବୈଶ୍ୟ ଦୁଷ୍କର ଙ୍କର ଖୁଦୁରୁକୁଣୀ,ଘନଶ୍ଯାମ ପଟ୍ଟନାୟକ ଙ୍କର ଗରୁଡ଼ ପୁରାଣ ଏହିମହାନ କବି ମାନେ ରଚନା କରିଯାଇଛନ୍ତି ।

୧୮୧୭ମସିହାରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଯେଉଁ ପ୍ରଥମ ପାଇକ ବିଦ୍ରୋହ ହୋଇଥିଲା ଏଥିରେ ବୋଲଗଡ଼ ଅଞ୍ଚଳର ପ୍ରମୁଖ ପାଇକମାନେ ପ୍ରମୁଖ ଭୂମିକା ନେଇଥିଲେ । ସେହିବର୍ଷ ଅପ୍ରେଲ ୧ତାରିଖରେ ପାଇକ ବିଦ୍ରୋହର ନେତା ବକ୍ସି ଜଗବନ୍ଧୁ ମହାପାତ୍ର ପାଞ୍ଚହଜାର ପାଇକ ମାନଙ୍କୁ ନେଇ ଖୋର୍ଦ୍ଧା ଆକ୍ରମଣ କରି ବ୍ରିଟିଶ ସରକାରଙ୍କ ସମସ୍ତ ଅଫିସ ପୋଡିଦେଇଥିଲେ । ଏହି ସମୟରେ ବୋଲଗଡ଼ ମାଟିର ବୀର ଯୋଦ୍ଧା କାଳିଆ ମଙ୍ଗରାଜ ଓରଫ ପର୍ଶୁରାମ ରାଉତରାୟ କେତେକ ପାଇକଙ୍କୁ ନେଇ ବ୍ରିଟିଶ ସପକ୍ଷବାଦୀ ଦେୱାନ ଖଳନାୟକ ସଦାସିବ ରାଉତରାୟ ଓ ଚରଣ ପଟ୍ଟନାୟକଙ୍କୁ ହତ୍ୟା କରିଥିଲେ। ଏହି ଅଭିଯୋଗରେ ଅଭିଯୁକ୍ତ ପାଇକ ଯୋଦ୍ଧାଙ୍କୁ ଫାସି ଦିଆଯାଇଥିଲା। ୧୭୩୩ ମସିହାରେ ପୁରୀର ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ ବୋଲଗଡ଼ ରେ ଅବସ୍ଥାନ କରିବାସମୟରେ ତତକାଳୀନ ମୋଗଲ ଶାସକ ତକି ଖାଁ କୁ ଯୁଦ୍ଧରେ ପରାସ୍ତ କରିଥିଲେ। ୧୯୨୭ ମସିହାରେ ଖଦିକାର୍ଯ୍ୟର ପ୍ରସାରପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ବୋଲଗଡ଼କୁ ଆସି ତିନିଦିନ ରହଣି କରିଥିଲେ। ଯାହାକି ଆଜି ବୋଲଗଡ଼ ମାଟି ଧନ୍ୟହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.