ଛତ୍ରପୁର,୧୩/୦୩(ପିପିଟି): ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୬୯ ଜିଲ୍ଲା ପରିଷଦ ଆସନ ମଧ୍ଯରୁ ବିଜେଡି ୬୭ଟି ଆସନ ପାଇଥିବା ବେଳେ ବିଜେପିକୁ ୨ଟି ଆସନ ମିଳିଛି। ଧରାକୋଟ ବ୍ଳକର ୩୧ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ଯ ଅଞ୍ଜଳି ସ୍ବାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି। କିଛି ମହିଳା ସଦସ୍ୟଙ୍କ ନାମ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ଯ ସଭାପତିଙ୍କ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଯାଇଥିଲା। ଭୁବନେଶ୍ବରରୁ ଆସିଥିବା ବନ୍ଦ ଲଫାପାକୁ ଜିଲ୍ଲା ସଭାପତି,ମନ୍ତ୍ରୀ ଓ ବିଧାୟକ ମାନଙ୍କର ଉପସ୍ଥିତରେ ଖୋଲା ଯାଇଥିଲା। ସେଥିରେ ଅଞ୍ଜଳି ସ୍ବାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ବୋଲି ଉଲ୍ଲେଖ ଥିଲା। ଅଞ୍ଜଳି ସ୍ବାଇଁ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ସମସ୍ତ ବିଧାୟକ,ବିଧାୟିକା, ମନ୍ତ୍ରୀ ଓ ଦଳୀୟ ନେତୃବୃନ୍ଦ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।