ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ ।

0 348

ଛତ୍ରପୁର,୨୫/୦୮(ପିପିଟି):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ “ଋଷିକୂଲ୍ୟା ” ଡିଆଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ପରିଡା ମୁଖ୍ୟତିଥି, ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ, ଉପ ମହାଲେଖାକାର (ପେନସନ ) ଏସ. ଅରୁଣା, ସମ୍ମାନୀୟ ଅତିଥିଭାବେ ଯୋଗଦେଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଅବସରକାଳୀନ ପ୍ରାପ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନେଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ଯାହାଫଳରେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ଭୁବନେଶ୍ୱର ଦୌଡିବାକୁ ପଡିବ ନାହିଁ । ବରିଷ୍ଠ ଉପ ମାହାଲେଖାର ଶ୍ରୀରାଜ ଅଶୋକ ପେନସନ ମଞ୍ଜୁରକର୍ତ୍ତା ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପଠାଯାଉ ନଥିବାରୁ ପେନସନ ପ୍ରଫନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନସନ କାଗଜ ପତ୍ର ଏ. ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ ଅପେକ୍ଷାରେ ଅଛନ୍ତି । ସେମାନଙ୍କର ପେନସନ କାଗଜ ପତ୍ର ଯଦି ଏହି ଅଦାଲତରେ ଉପସ୍ଥାପିତ କରାଯାଇପାରିବ ସେମାନେ ଆସନ୍ତା ସାତ ଦିନ ମଧ୍ୟରେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇପାରିବ ବୋଲି ଉପମାହାଲେଖକର ସୁଶ୍ରୀ ଅରୁଣା କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତଵୃତ୍ୱ ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ,ଶ୍ରୀ ପରିଡା, ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟର ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ । ବରିଷ୍ଠ ଲେଖା ଅଧିକାରୀ ନାଗେଶ ରାଓ ଓ ମନୋରଞ୍ଜନ ପାଣିଗ୍ରାହୀ ଏହି ପେନସନ ଅଦାଲତ ପରିଚାଳନା କରିବା ସହ ନୂଆ ପଦ୍ଧତି ଅନଲାଇନ ମାଧ୍ୟମରେ କିପରି ପେନସନ କାଗଜ ଏ. ଜି କାର୍ଯ୍ୟାଳୟକୁ କିପରି ପଠାଯାଇପାରିବ ତା ଉପରେ ମଂଜୁରକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଆୟୋଜିତ ତାଲିମ କର୍ମଶାଳା ରେ ଗଞ୍ଜାମ ଜିଲ୍ଲାର ୨୨ଗୋଟି ପଞ୍ଚାୟତ ସମିତିର ୩୫୦ ଜଣ ଡିଡିଓ ତାଲିମ ଗ୍ରହଣ କରିଥିଲେ । ଏହି ଅଦାଲତକୁ ସହକାରୀ କଲ୍ୟାଣ ଅଧିକାରୀ ସୁଦର୍ଶନ ସାହୁ, କଲ୍ୟାଣ କୁମାର ପଣ୍ଡା, ସ୍ୱତନ୍ତ ଅଧିକାରୀ ପୁରୁଷୋତ୍ତମ ବଳ, ପ୍ରତିଷ୍ଠାନ ଅଧିକାରୀ ଲଷ୍ମୀନାରାୟଣ ପାଣିଗ୍ରାହୀ, ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ଚୌଧୁରୀ ଓ ପାପୁନ କୁମାର ପଢିଆରି ପରିଚାଳନା କରିଥିଲେ ।

Leave A Reply

Your email address will not be published.