ପାରଳାଖେମୁଣ୍ଡି,୨୬/୦୩(ପିପିଟି);କେନ୍ଦ୍ରର ବିଜେପି ସରକାରର କୃଷକ ବିରୋଧୀ ତିନି କଳା କୃଷି ଆଇନର ପ୍ରତ୍ୟାହାର, କୃଷକମାନଙ୍କ ସବୁ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ଆଇନ ପ୍ରଣୟନ, ପ୍ରସ୍ତାବିତ ବିଦ୍ୟୁତ୍ ସଂଶୋଧନ ବିଲ୍ – ୨୦୨୦ର ପ୍ରତ୍ୟାହାର, ଆକାଶଛୁଆଁ ପେଟ୍ରୋଲ, ଡିଜେଲ ତଥା ରନ୍ଧନ ଗ୍ୟାସର ଦରକୁ ଅଧାକୁ ହ୍ରାସ କରିବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦାବିରେ ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ଡାକରା ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ସଫଳ ହୋଇଛି । ଦେଶର କୃଷକ ସଙ୍ଗଠନମାନଙ୍କ ମିଳିତ ମଂଚ, “ସଂଯୁକ୍ତ କିଶାନ୍ ମୋର୍ଚ୍ଚା”ର ଡାକରାରେ ଆୟୋଜିତ ଆଜିର ଭାରତ ବନ୍ଦରେ ଜିଲ୍ଲାର ପ୍ରମୁଖ କୃଷକ ସଂଗଠନ, ଅଖିଳ ଭାରତ କିଶାନ୍ ମଜଦୁର୍ ସଭା, ଓଡିଶା କୃଷକ ସଭା ଓ ରୟତ୍ କୁଲି ରଇତ୍ ସଂଘର କର୍ମୀମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସମେତ କାଶୀନଗର, ଗୁମ୍ମା, ମୋହନା, ରାୟଗଡ, ନୂଆଗଡ, ଗୋଷାଣୀ, ଆର. ଉଦୟଗିରି ବ୍ଳକର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍ଥାନେ ସ୍ଥାନେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବାରୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।
ପାରଳାଖେମୁଣ୍ଡିରେ ଏଆଇକେକେଏମଏସ୍ ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୄତ୍ଵରେ ଶତାଧିକ କୃଷକ, ଶ୍ରମିକ ଓ ବୁଦ୍ଧିଜୀବୀ ଏକ ପଟୁଆରରେ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟଙ୍କ୍ ଆଗରେ ପିକେଟିଂ କରି ବନ୍ଦ କରିଥିବା ବେଳେ ଜିଲ୍ଲା କମିଟି ସଭ୍ୟ କାଡୁକା ଶବର ଏବଂ ଓଡିଶା କୃଷକ ସଭା କାର୍ତ୍ତିକ ଶବର ଓ ରଇତ କୁଲି ରଇତ ସଂଘର ରକମ୍ ଲୋକନାଥମଙ୍କ ନେତୄତ୍ଵରେ କାଶୀନଗର ବ୍ଳକର କାଶୀନଗର, ସିଆଳି, ହରିପୁର ଛକ, ଅଲଡା ଓ କଇଠପଦର ଛକ ଠାରେ ଶହ ଶହ କୃଷକ ଓ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବହୁ ସମୟ ଧରି ରାସ୍ତାରୋକ କରିଥିଲେ । ଏଆଇକେକେଏମଏସର ଜିଲ୍ଲା କମିଟି ସଭ୍ୟ କାଡୁକା ଶବରଙ୍କ ସମେତ ସୁମ୍ଵ୍ରା ଶବର, ସାମସନ୍ ଗମାଙ୍ଗ, ଚୈତନ୍ୟ ଶବର, କାର୍ତ୍ତିକ ଶବର, କେ ମୀନା ରାଓ ପ୍ରମୁଖ ନେତୄତ୍ଵ ନେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିର ପ୍ରତିବାଦ କରି ଶୋଭାଯାତ୍ରା କରିବା ସହିତ ପାରଳାଖେମୁଣ୍ଡି-ଗୁଣପୁର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଆନ୍ଦୋଳନକାରୀମାନେ ଦେଶୀ ବିଦେଶୀ ବଡ କମ୍ପାନୀଙ୍କ ସ୍ଵାର୍ଥରେ ମୋଦି ସରକାର ଦେଶର କୃଷି କ୍ଷେତ୍ରକୁ କମ୍ପାନୀମାନଙ୍କୁ ହସ୍ତାନ୍ତର କରି ଦେଶର କୃଷି, କୃଷକ ଓ ଖାଉଟୀଙ୍କ ସର୍ବନାଶ କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରିଥିଲେ ।