ଖୁବ୍ ଶୀଘ୍ର ଏମ୍.କେ.ସି.ଜି.ରେ ପ୍ଲାଜମା ସଂଗ୍ରହ ଆରମ୍ଭ ହେବ – ଜିଲ୍ଲାପାଳ ।

0 1,147

ଛତ୍ରପୁର, ତା.୦୩/୦୮(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ କୋଭିଡ୍ – ୧୯ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତଳ ସ୍ତରରୁ କରୋନା ପରିଚାଳନା ଯେତେ ସୁଦୃଢ ହୋଇପାରିବ ସେହି ଅନୁପାତରେ ସଂକ୍ରମଣ କମିପାରିବ । ଜିଲ୍ଲାର ସମସ୍ତ ଅଞ୍ଚଳରେ ସ୍ବାବ୍ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଆକ୍ଟିଭ୍ କଣ୍ଟାକ୍ଟ ତାଲିକା ନିଜପାଖରେ ରଖନ୍ତୁ ଏବଂ ସେଗୁଡିକର ପରିଚାଳନା ବରାବର ଦେଖନ୍ତୁ । ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ୍ କେୟାର ସେଣ୍ଟରରୁ ସ୍ଥାନାନ୍ତରୀତ କରି ଉଚ୍ଚ ଚିକିତ୍ସା ନିମନ୍ତେ ଟାଟା କିମ୍ବା ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ସ୍ଥାନାନ୍ତରୀତ କରିବାପରେ ସେମାନଙ୍କର ଚିକିତ୍ସା ଯେପରି ସଠିକ୍ ଭାବରେ ହେବ ସେଥିପ୍ରତି ନଜର ରଖିବାକୁ ସମସ୍ତଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଯେଉଁ ସବୁ ନିୟମ ମାନ ପ୍ରଣୟନ କରାଯାଇଛି ସେଗୁଡିକ କଡାକଡି ପାଳନ କରନ୍ତୁ । ସ୍ଥାନୀୟ ବଜାର କମିଟି ସହ ଆଲେଚନା କରି ପଞ୍ଚ ସୂତ୍ରୀ ପ୍ରଚଳନ ଯେପରି ଠିକ୍ ହେବ ତାହା ଉପରେ ନଜର ରଖନ୍ତୁ । ଯେଉଁ ସ୍ଥଳରେ ସଂକ୍ରମିତ ବ୍ୟକ୍ତିଙ୍କୁ ତାଙ୍କ ନିଜ ଗୃହରେ ଏକୁଟିଆ ବା ହୋମ୍ ଆଇସୋଲେସନ ରେ ରଖାଯାଇଛି ସେମାନେ ଠିକ୍ ନିୟମ ପାଳନ କରୁଛନ୍ତି ନାଁ ନାହିଁ ତାହା ବରାବର ତଦନ୍ତ କରି ନଜର ରଖିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ ।କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନକୁ ବାରଣ କରାଯାଇଛି । ସେହି ଅଞ୍ଚଳର ବାସୀନ୍ଦାଙ୍କ ନିମନ୍ତେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ ପରିଚାଳନାକୁ ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଅବଗତ କରାଇଥିଲେ । ସେହି ଅଞ୍ଚଳରେ ସ୍ବାସ୍ଥ୍ୟଟିମ୍ ଦ୍ବାରା ଘରକୁ ଘର ବୁଲି ଯାଞ୍ଚ କରାଯାଉଥିବା କାର୍ଯ୍ୟ ପରିଚାଳନାକୁ ସୁଦୃଢ କରିବାପାଇଁ କୁହାଯାଇଛି । କୋଭିଡ୍ ଚିକିତ୍ସା ନିମନ୍ତେ ଅକ୍ସିଜେନ ର ଅଭାବ ନାହିଁ । ଅକ୍ସିଜେନ କେଉଁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଆବଶ୍ୟକ ତାହା ଡାକ୍ତର ନିର୍ଦ୍ଧାରଣ କରି ଚିକିତ୍ସା କରିବେ । Apheresis Machine ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ କୁ ଆସିଯାଇଛି ଖୁବ୍ ଶୀଘ୍ର ପ୍ଲାଜମା ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ଜନ ସାଧାରଣଙ୍କ ନିମନ୍ତେ ସରକାରୀ କାର୍ଯ୍ୟାଳୟ ଖୋଲାଯିବ କିନ୍ତୁ ଶତକଡା ପଚାଶ ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେବା ପ୍ରଦାନ କରିବେ । ବିଡିଓ କନଫରେନ୍ସିଂ ରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.