ନୂଆଦିଲ୍ଲୀ: ୧୯୯୯ ମସିହାରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଏଥିସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କରାଦଣ୍ଡାଦେଶ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିବା ସୂଚନା ମିଳିଛି। ଏହି ମାମଲାରେ ଅଦାଲତ କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ମାଲିକାନାରେ ଥିବା ଦୁଇ କମ୍ପାନି ସିଟିଏଲ୍ ଓ ସିଏମଏଲକୁ ଯଥାକ୍ରମେ ୬୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।