ଆସିକା,୧୯/୦୧(ପିପିଟି); ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୫ ଦିନ ଧରି ଦିଲ୍ଳୀରେ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଅବ୍ୟାହତ ରହିଛି । ଆଜି ଏହି ଆନ୍ଦୋଳନର ସମର୍ଥନରେ ଧରାକୋଟ ବ୍ଳକ୍ ସମ୍ମୁଖରେ ଏଆଇକେଏମଏସ୍ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭରେ ଯୋଗଦେଇ ଏଆଇକେଏମଏସ୍ ର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଦିଲ୍ଳୀର ଐତିହାସିକ କୃଷକ ଆନ୍ଦୋଳନରେ ଏଯାଏଁ ପ୍ରାୟ ୧୩୦ରୁ ଉର୍ଦ୍ଧ ଚାଷୀ ମୃତ୍ୟୁବରଣ କରି ଶହୀଦ ହୋଇଥିଲେ ବି କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୄତ୍ଵାଧିନ ବିଜେପି ସରକାର ବଡ କର୍ପୋରେଟଙ୍କ ସ୍ଵାର୍ଥରେ ଦେଶର କୋଟି କୋଟି ଅର୍ଣ୍ଣଦାତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରିବା ନିନ୍ଦନୀୟ ବୋଲି କହିଥିଲେ । ବିକ୍ଷୋଭରେ ଉଦବୋଧନ ଦେଇ ସମସ୍ତ ବକ୍ତା ତୁରନ୍ତ ତିନି କଳା କଳା କୃଷି ଆଇନର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଆଦିବାସୀ ନେତା ଅରକ୍ଷିତ ଗମାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ସମେତ ସଂଗଠନର ବ୍ଳକ୍ ସଭାପତି ଯକ୍ଷ ଗମାଙ୍ଗ, ଲିମ୍ଵିନା ମଣ୍ଡଳ, କବି ନାୟକ, ଅଭିରାମ ନାୟକ, ଦୟାନିଧି ସେଠୀ ପ୍ରମୁଖ ସାମିଲ ହୋଇଥିଲେ । ଆସିକା ତହସିଲ ସମ୍ମୁଖରେ ଏଆଇକେଏମଏସ୍ ଆସିକା ବ୍ଳକ୍ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସର ବ୍ଳକ୍ ସଭାପତି ବାଇକୋଳି ନାଇକ, ବ୍ଳକ୍ ସମ୍ପାଦକ ସନ୍ତୋଷ ନାୟକ, ଅଶୋକ ସେଠୀ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଇଫଟୁ ନେତା ପ୍ରତାପ ପ୍ରଧାନ ପ୍ରମୁଖ ସାମିଲ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।