ବ୍ରହ୍ମପୁର,୦୬/୦୨(ପିପିଟି); ସଂଯୁକ୍ତ କିଷାନମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ଆଜି ଦେଶବ୍ୟାପୀ ଚକାଜାମ୍ ଡାକରା ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର କୋରାପୁଟ କେଭି ଲାଇନର ଗଣିଆନାଳ ଛକଠାରେ କୃଷକମାନଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ ଆୟୋଜିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା, କୃଷକଙ୍କ ସବୁ ଫସଲର ଏମ୍ ଏସ୍ ପି ପାଇଁ ଆଇନ କରିବା, ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ବାତିଲ କରିବା, ଆନ୍ଦୋଳନକାରୀ କୃଷକଙ୍କ ଉପରେ ଦମନଲୀଳା ବନ୍ଦ କରିବା, ଗିରଫ ହୋଇଥିବା କୃଷକମାନଙ୍କୁ ମୁକ୍ତ କରିବା ଆଦି ଦାବୀ ନେଇ ଚକାଜାମ୍ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଣିଆନାଳ ଠାରେ ଆୟୋଜିତ ଚକାଜାମ୍ ଆନ୍ଦୋଳନରେ କୃଷକ ସଙ୍ଗଠନ, ‘ଅଖିଳ ଭାରତ କିଶାନ୍ ମଜଦୁର୍ ସଭା’ର ଜିଲ୍ଲା କମିଟି ସଦସ୍ୟ ଲଡୁ କିଶୋର ଡାକୁଆଙ୍କ ନେତୄତ୍ଵରେ ଶତାଧିକ କୃଷକ ଚକାଜାମ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, କୃଷକ ନେତା ସନ୍ତୋଷ ଗୌଡ, ନାରାୟଣ ବିଷୋୟୀ, ଶ୍ରମିକ ନେତା ଦୈତାରୀ ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଆନ୍ଦୋଳନକାରୀ ମାନେ ରାସ୍ତା ଉପରେ ଠିଆ ହୋଇ ଗାଡି ମୋଟର ଅଟକାଇବା ସହିତ ମୋଦି ସରକାରଙ୍କ କୃଷକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ । ଗତ ପ୍ରାୟ ଅଢେ଼ଇ ମାସ ଧରି ଶୀତ କାକରରେ ରାସ୍ତା ଉପରେ ପଡିରହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଦେଶର ଅନ୍ନଦାତା ରୂପେ ପରିଚିତ କୃଷକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ସରକାର ମାନିନେବା ପରିବର୍ତ୍ତେ ସେମାନଙ୍କୁ ବଦନାମ୍ କରିବାକୁ ତଥା ଦମନ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଯେଉଁ ପର୍ଯ୍ୟନ୍ତ ସରକାର ଆନ୍ଦୋଳନକାରୀ କୃଷକଙ୍କ ସବୁ ଦାବି ମାନି ନେଇନାହାଁନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଥିଲେ ।