ବ୍ରହ୍ମପୁର, ୨୭/୧୧(ପିପିଟି); ମୋଦି ସରକାରର କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ ଦାବିରେ ତଥା ଦିଲ୍ଲୀ ଯାଉଥିବା କୄଷକମାନଙ୍କ ଉପରେ ହରିଆନା, ଉତ୍ତର ପ୍ରଦେଶର ବିଜେପି ସରକାରଙ୍କ ପକ୍ଷରୁ ବେଆଇନ ଗିରଫଦାରୀ, ଲାଠି ଓ ପାଣିମାଡ ପରି ଦମନକାରୀ ପଦକ୍ଷେପ ବିରୋଧରେ ଆଜି ଦେଶବ୍ୟାପୀ କୃଷକମାନଙ୍କ ପ୍ରତିବାଦ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କୃଷକ ସଂଗଠନମାନଙ୍କ ସର୍ବ ଭାରତୀୟ ମଞ୍ଚ , ଅଖିଳ ଭାରତ କୃଷକ ସଂଘ ସମନ୍ଵୟ ସମିତି (ଏଆଇକେଏସସିସି) ପକ୍ଷରୁ ଆଜି ବ୍ରହ୍ମପୁର ସ୍ଥିତ ମୁଖ୍ୟ ଡାକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପିକେଟିଙ୍ଗ ସଂଗଠିତ ହୋଇଯାଇଛି । ଏଆଇକେଏସସିସି ସଂଲଗ୍ନ ଜିଲ୍ଲାର ପାଞ୍ଚଟି କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରେ କୃଷକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଈଁ ପୋଲିସ ର ଲାଠି ଚାର୍ଜ, ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା, ପାଣିମାଡ କାର୍ଯ୍ୟ କୁ ତୀବ୍ର ନିନ୍ଦା କରାଯାଇଥିଲା । ଦେଶୀ ବିଦେଶୀ ବୄହତ୍ତ କର୍ପୋରେଟଙ୍କ ସ୍ଵାର୍ଥରେ ଦେଶର କୃଷି ଓ କୃଷକର ସର୍ବନାଶକାରୀ ତିନୋଟି କୃଷି ଆଇନ ଯଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ – ୨୦୨୦, ମଣ୍ଡୀ ଆଇନ – ୨୦୨୦ ଏବଂ ଠିକା ଚାଷ ଆଇନ – ୨୦୨୦କୁ ରଦ୍ଦ କରିବାକୁ ଏବଂ ଜନବିରୋଧୀ ପ୍ରସ୍ତାବିତ ସଂଶୋଧିତ ବିଦ୍ୟୁତ ବିଲକୁ ବାତିଲ କରିବାକୁ ଦାବି କରିଥିଲେ । ବିକ୍ଷୋଭ ପୁର୍ବରୁ କୃଷକମାନଙ୍କ ଏକ ମିଳିତ ପଟୁଆର ସ୍ଥାନୀୟ ଗୋପବନ୍ଧୁ ଛକ ଠାରୁ ବାହାରି ସହର ପରିକ୍ରମା କରିବା ସହ ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ ସଂପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସଂପାଦକ ପ୍ରତାପ ନାୟକ, ଅଖିଳ ଭାରତ କିଶାନ ସଭର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ନୀଳକଣ୍ଠ ଦାସ, ଶ୍ରମିକ ନେତା ପ୍ରକାଶ ପାତ୍ର, ସିମାଞ୍ଚଳ ସାହୁ ଓଡିଶା କୃଷକ ସଭା ଜିଲ୍ଲା ନେତା ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ ବାବୁଲ ନାୟକ, ବିଜୟ ବିଷୋୟୀ, ଯୁଧିଷ୍ଟିର ବେହେରା, କୃଷ୍ଣମୁର୍ତ୍ତି ପାତ୍ର, କ୍ଷେତ ମୁଲିଆ ୟୁନିଅନ ଜିଲ୍ଲା ନେତା ବିଦ୍ୟାଧର ଜେନା, କିଶାନ ମଜଦୁର ସଭାର ଜିଲ୍ଲା କମିଟି ସଭ୍ୟ ଲଡ଼ୁ କିଶୋର ଡାକୁଆ, ନାରାୟଣ ବିଷୋୟୀ, ସନ୍ତୋଷ ଗୌଡ, ଏଆଇକେକେଏମଏସ୍ ନେତା ଉଦ୍ଧବ ମହାଙ୍କୁଡ, ପପୁନ ସାହୁ, ଏଆଇକେକେଏସ୍ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ପି. ପାର୍ବତୀ ପ୍ରମୁଖ ନେତୃତ୍ଵ ନେଇଥିଲେ ।