ତିର୍ତ୍ତୋଲ,୦୮/୦୧(ପିପିଟି);ଭାରତ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୦ ରେ ପାର୍ଲିଆମେଣ୍ଟ ରେ ପାରିତ ହୋଇଥିଵା ନୂତନ କୃଷି ଆଇନ ୨୦୨୦ ଏକ ତ୍ରୁଟିପୂର୍ଣ୍ଣ ଓ ବିବାଦୀୟ ଆଇନ । ଏହି କାର୍ଯ୍ୟକୁ ବହୁ କୃଷକ ସଂଗଠନ “କୃଷକ ବିରୋଧୀ ଆଇନ” ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ବିରୋଧୀ ଦଳର ରାଜନେତାମାନେ ମଧ୍ୟ ଏହା କହିଛନ୍ତି । ଏହି ଆଇନକୁ ବିରୋଧ କରି ପଞ୍ଜାବ , ହରିୟଣା, ଗୁଜରାଟ, ବିହାର , ଉତ୍ତର ପ୍ରଦେଶ ପରି ପ୍ରମୁଖ ରାଜ୍ୟର ଲକ୍ଷାଧିକ କୃଷକ ମାନେ ଦିଲ୍ଲୀ ଠାରେ ପ୍ରବଳ ଶୀତ,ବର୍ଷା ସତ୍ତ୍ୱେ ଗତ ୪୩ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ‘କିସାନ୍ ଜାଗ୍ରତି ପାଖୱାରା’ ବୁଧବାର ଠାରୁ ସାରା ଦେଶରେ ଜନ ଜାଗରଣ ଯାତ୍ରା ଆରମ୍ଭ କରିଛନ୍ତି। ଦେଶର କେନ୍ଦ୍ରୀୟ କୃଷକ, ଶ୍ରମିକ ଏବଂ ସଚେତନ ନାଗରିକମାନେ ଏହି ଅଭିଯାନରେ ଅଂଶଗ୍ରହଣ କରି ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଏବଂ ଏମଏସପି କୁ ଆଇନଗତ ଗ୍ୟାରେଣ୍ଟି ପ୍ରତ୍ୟାହାର ପାଇଁ ଦୃଢ ଦାବି କରିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଆଇନ ବିରୋଧରେ ତଥା ଦିଲ୍ଲୀରେ ଆନ୍ଦୋଳନରତ କୃଷକ ମାନଙ୍କ ସମର୍ଥନରେ ପ୍ରଦର୍ଶନ ମାନ ଦେଖିବାକୁ ମିଳୁଛି । ଆଜି ଅଖିଳ ଭାରତ କୃଷକ ସଭା, ଜଗତସିଂହପୁର ଜୋନାଲ କମିଟି ତରଫରୁ ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକଙ୍କ ନେତୃତ୍ବରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ପିତେଇପୁର ପଞ୍ଚାୟତର ଉଗାଳପୁର ଠାରୁ ବାହାରି ସାଁପୁର, ଅଳସୁଧା,ମୁଦୁପୁର, ପଟିଲୋ,କଟରା, ଗୋପାଳପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଏଥିରେ ଅଖିଳ ଭାରତୀୟ ଯୁବକ ସଂଘ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଅଖିଳ ଭାରତ କୃଷକ ସଭା ରାଜ୍ୟ ସଂଗଠନ ନେତା ଶଶୀଭୂଷଣ ସ୍ବାଇଁ, ଏରସମା ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ଦେବାଶିଷ ପରିଜା ପ୍ରମୁଖ ଯୋଗ ଦେଇ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ସ୍ଥାନୀୟ ଲୋକଙ୍କୁ ତ୍ରୁଟିପୂର୍ଣ୍ଣ କୃଷି ଆଇନ ବିଷୟରେ ସଚେତନ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)
Next Post