ମାଲକାନଗିରି,୩୦/୦୮(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ବୀ ସେଠୀ ଯୋଗ ଦେଇଥିଲା ବେଳେ ଡିଏମଡି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସଭାପତିତ୍ବ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଲକାନଗିରି ପୋଲିଟେକନିକ ମହାବିଦ୍ୟାଳୟର ଅଧ୍ୟାପକ ଅବକାଶ ପ୍ରଧାନୀ, ହାଇଦ୍ରାବାଦ ଡିମାର୍ଟ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଏସ.ଶେଇଲେସ୍ ରେଡ୍ଡୀ, ଶୁଭଦ୍ରା ଚାରିଟେବୁଲ ଟ୍ରଷ୍ଟ ର ସିଡିସି ପିପିନ୍ ରାୟ, ଏକ୍ସପୋର୍ଟ ଗୃପର ଜୋନାଲ ଅଧିକାରୀ ଦେବବ୍ରତ ସାମନ୍ତ ସିଂହାର,ଗ୍ରାମତରଙ୍ଗ ର କେନ୍ଦ୍ର ପରିଚାଳକ ବନଦେବ ହାତୀ,ଏମଜିଏନଏଫ ବା°ଗାଲୋର ର ସୁଧାଶ୍ରୀ ସାହୁ, ମାଲକାନଗିରି ଜିଲ୍ଲା ନିୟୋଜନ ସ°ଯୋଜକ ପ୍ରଳୟ କୁମାର ମେହେର ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଏହି ନିଯୁକ୍ତି ମେଳାର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ଅନୁଷ୍ଠିତ ନିଯୁକ୍ତି ମେଳାରେ ଓଡ଼ିଶା ପ୍ରଦେଶ ଓ ଏହାର ଆଖପାଖ ପ୍ରଦେଶର ପାଖାପାଖି ୭ ଗୋଟି କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପଦବୀ ପାଇଁ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କମ୍ପାନୀର ଆବଶ୍ୟକ ପଦବୀରେ ନିଯୁକ୍ତି ଦେଇଥିବା ଜଣାପଡିଛି । କୁଡୁମୁଲୁଗୁମ୍ମା ମୁଖ୍ୟ ସଦର ଓ ଏହାର ଆଖପାଖ ଅ°ଚଳର ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତି ଉତ୍ସାହ ର ସହ ଭାଗ ନେଇଥିବା ଜଣାପଡିଛି । ମୁଖ୍ୟ ଅତିଥି ଶ୍ରୀ ସେଠୀ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ଯାହା ଫଳରେ ଶହଶହ ବେକାର ଯୁବକ ଯୁବତୀ ମାନେ କର୍ମନିଯୁକ୍ତି ଯୋଜନାରେ ଲାଭ ଉଠେଇବା ସହ ନିଜର ଓ ପରିବାର ର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିପାରିବେ । ପ୍ରଥମ ଥର କରି କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ , ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାକୁ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶ°ସା କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post