ମାଲକାନଗିରି,୨୧/୦୬(ପିପିଟି): କୁଡୁମୁଲଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ସ୍ମାରକୀ ମହାବିଦ୍ୟାଳୟ ପରିସରରେ ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପତଞ୍ଜଳି ଯୋଗ ସମିତି,୧୫୧ ବିଏସଏଫ ବାଟାଲିୟନ, ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟ ଓ ନେହେରୁ ଯୁବକେନ୍ଦ୍ର କୁଡୁମୁଲଗୁମ୍ମାର ମିଳିତ ସହଯୋଗରେ ଉକ୍ତ ଯୋଗ ଶିବିରକୁ ମିଳିତ ଭାବେ ଆୟୋଜିତ କରାଯାଇଥିଲା । ବିଏସଏଫ -୧୫୧ ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଆଜିର ଏହି ଯୋଗ ଶିବିରରେ, ମୁଖ୍ୟ ଅତିଥି ଭାବେ ବିଏସଏଫ- ୧୫୧ ବାଟାଲିୟନ କୁଡୁମୁଲୁଗୁମ୍ମାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀରଜ ଶର୍ମା ଜଗନ୍ନାଥ ଠାକୁରଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ ଓ ଧୂପ ପ୍ରଦାନ କରି ଶିବିରର ଶୁଭାରମ୍ଭ କରିଥିଲା ବେଳେ,ସବ ଇନସ୍ପେକ୍ଟର ବିପିନ୍ କୁମାର, ଆସିଷ୍ଟାଣ୍ଟ ସବ ଇନପ୍ସେକ୍ଟର ସତ୍ୟାପା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସନ୍ତୋଷ କୁମାର ଷଢଙ୍ଗୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ପତଞ୍ଜଳି ଯୋଗ ଶିକ୍ଷକ ଭଗବାନ ସାହୁ, ବିଏସଏଫ ତରଫରୁ ଯୋଗ ଶିକ୍ଷକ କନେଷ୍ଟେବଲ ପ୍ରେମ ସି”,ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗୀ, ଏନୱାଇକେ ର ସ°ଯୋଜକ ପଦ୍ମନାଭ ଭୂମିଆ, ହେଡ କନେଷ୍ଟବଲ ସରୋଜ କୁମାର ରଥ, ମହାବିଦ୍ୟାଳୟର ପଇଟି ଶିକ୍ଷକ ଶ୍ୟାମ ସୁନ୍ଦର ଦେଓ ଓ ସତ୍ୟାନନ୍ଦ ସୋରେନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଯବାନମାନଙ୍କୁ ଯୋଗ ସାଧନାର ଗୁଣାବଳୀ ବିଷୟରେ ବୁଝାଇଥିଲେ । ଏହାପରେ ଯୋଗ ଶିକ୍ଷକ ଦ୍ୱୟ ପ୍ରଥମେ ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ, ଆସନ ଓ ପ୍ରାଣାୟମ ସବୁ ନିଜେ କରି ଦେଖାଇବା ସହ ଅନ୍ୟମାନେ କିପରି ନିର୍ଭୁଲ ଭାବରେ କରିପାରିବେ ତାହାର ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୧୦୧ ଜଣ ଯୋଗର ପ୍ରଶିକ୍ଷଣ ଗ୍ରହଣ କରିଥିଲେ, ତନ୍ମଧ୍ୟରୁ ୩୪ ଜଣ ବିଏସଏଫ ଯବାନ ହୋଇଥିଲା ବେଳେ ଅନ୍ୟ ୬୭ ଜଣ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଅଟନ୍ତି । ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନାରେ ସମସ୍ତ ଛାତ୍ର ଛାତ୍ରୀ ଭାଗ ନେବାସହ ଦେଶର ସୁରକ୍ଷାରେ ନିଜକୁ ସାମିଲ କରି ଦେଶମାତୃକାର ସେବା କରିବା ପାଇଁ ଆଶିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ଶର୍ମା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ହାସ୍ୟାସନ କରାଯାଇଥିଲା ଯେଉଁଥିରେ ସମସ୍ତେ ମନଭରି ହସିଥିଲେ ଓ ଶେଷରେ ବିଏସଏଫ ଦ୍ୱାରା ପ୍ରସ୍ତୁତ ଗଜାବୁଟ ସମସ୍ତଙ୍କୁ ଜଳପାନରେ ପରସା ଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)